ଗଜପତି : ଗୁରୁବାର ଗଜପତିରେ ହୋମଗାର୍ଡ ପରୀକ୍ଷା ବେଳେ ଅଘଟଣ ଘଟିଛି। ଦୁଇଜଣ ହୋମଗାର୍ଡ ଚାକିରି ଆଶାୟୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ସକାଳେ ପରୀକ୍ଷାର୍ଥୀ ସୁମନ୍ତ ମିଶାଲ ପ୍ରାଣ ହରାଇଥିବା ବେଳେ ଅପରାହ୍ନରେ ଆଉ ଜଣେ ପରୀକ୍ଷାର୍ଥୀ ଦୀପକ ପାଡ଼ାଲ ପ୍ରାଣ ହରାଇଛନ୍ତି । ତାଙ୍କ ଘର ରାୟଗଡ଼ ବ୍ଲକ ନାରାୟଣପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି।
ଶାରୀରିକ ପରୀକ୍ଷା ଦୌଡ଼ିବା ବେଳେ ସେ ଅସୁସ୍ଥ ହୋଇ ପଡିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ MKCGରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ମେଡିକାଲ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାନୁଯାୟୀ, ଗୁରୁବାର ସକାଳେ ଶାରିରୀକ ପରୀକ୍ଷା ଆରମ୍ଭ ହୋଇଥିଲା। ରାଣିପେଣ୍ଠଠାରୁ ପଦ୍ମପୁର ଦୁଇ କିମି ରାସ୍ତାରେ ସକାଳୁ ଦୌଡ଼ ପରୀକ୍ଷା ଚାଲିଥିବା ବେଳେ ୭ଜଣ ପରୀକ୍ଷାର୍ଥୀ ହଠାତ ତଳେ ପଡ଼ି ଗୁରୁତର ହୋଇ ପଡ଼ିଥିଲେ। ସେମାନଙ୍କୁ ତୁରନ୍ତ ପାରଳାଖେମୁଣ୍ଡି ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।
ସେଠାରେ ଡାକ୍ତର ଗଜପତି ଜିଲା ରାମଗିରି ଥାନା ଅନ୍ତର୍ଗତ ପରିସଲ ଗ୍ରାମର ସୁମନ୍ତ ମିଶାଲଙ୍କୁ ମୃତ ଘୋଷଣା କରିଥିଲେ। ପରେ ଦୀପକଙ୍କ ଜୀବନ ଯାଇଥିବା ବେଳେ ଅନ୍ୟମାନେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।