ଲକ୍ଷ୍ମୀପୁର: ପୁଣି ଲକ୍ଷ୍ମୀପୁରରେ ଲଜ୍ଜା। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ ଜଣେ ଆଦିବାସୀ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି। ତେବେ ନାବାଳିକା ଜଣଙ୍କ ଥାନାରେ ଏତଲା ଦେବା ପରେ ୪ ଜଣ ଯୁବକଙ୍କୁ ଅଟକ ରଖିଛି ପୋଲିସ। ଏହି ସମ୍ବେଦନଶୀଳ ଘଟଣାରେ ହସ୍ତକ୍ଷେପ କରିଛନ୍ତି କୋରାପୁଟ ଏସପି। ଅଟକ ଥିବା ୪ ଜଣ ଯୁବକଙ୍କୁ ଏସପି ନିଜେ ପ୍ରତ୍ୟକ୍ଷ ଭାବରେ ପଚରାଉଚରା କରିଛନ୍ତି।
ସୂଚନା ଅନୁଯାୟୀ, ଶନିବାର ଦିନ ବୁଢୀ ଠାକୁରାଣୀ ଯାତ୍ରା ଅବସରରେ ନାଟ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା। ବିଳମ୍ବିତ ରାତିରେ ନାଟକ ଚାଲିଥିବା ବେଳେ ଜଣେ ନାବାଳିକା ତାର ସାଙ୍ଗ ସହ ଅଳ୍ପ କିଛି ଦୂରରେ ଯାଇ କଥା ହେଉଥିଲା। ଏହି ସମୟରେ ୪ ଜଣ ଯୁବକ ଆଦିବାସୀ ନାବାଳିକାକୁ ପାହାଡ଼ ଉପରକୁ ଟେକିନେଇ ଗଣଦୁଷ୍କର୍ମ କରିଥିବା ଲକ୍ଷ୍ମୀପୁର ଥାନାରେ ଅଭିଯୋଗ କରାଯାଇଛି। କୋରାପୁଟ ଏସପିଙ୍କ ନିର୍ଦ୍ଦେଶରେ ଅତିରିକ୍ତ ଏସପି, ଲକ୍ଷ୍ମୀପୁର ଥାନା ଆଇଆଇସି ଓ କାକିରିଗୁମା ଥାନା ଆଇଆଇସି ଘଟଣାର ତଦନ୍ତ କରୁଛନ୍ତି। ୪ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା ଚାଲିଛି। ତେବେ ଅଟକ ଚାରିଜଣଙ୍କୁ ତଦନ୍ତ କରି ଆଜି କୋର୍ଟ ଚାଲାଣ କରାଯିବ ବୋଲି ଆଇଆଇସି ସୁଜ୍ଞାନୀ ସାହୁ ସୂଚନା ଦେଇଛନ୍ତି।
ଅଧିକ ପଢନ୍ତୁ : ଆଜିଠୁ ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା : ଏଥିପାଇଁ ସଜେଇ ହୋଇଛି ଯୋରନ୍ଦା ମହିମାପୀଠ