ପୁଣିଥରେ ଅସୁସ୍ଥ ହୋଇ ଏସ୍ସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି ପଦ୍ମଶ୍ରୀ କମଳା ପୂଜାରୀ । ଏକାଧିକ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ ହୋଇଥିବା ପଦ୍ମଶ୍ରୀ ପୂଜାରୀଙ୍କର ଭେଷଜ ବିଭାଗ ଆଇସିୟୁରେ ଚିକିତ୍ସା ଆରମ୍ଭ ହୋଇଛି । ତାଙ୍କ ଚିକିତ୍ସା ନିମନ୍ତେ ଏସ୍ସିବି ମେଡିକାଲ କର୍ତ୍ତୃପକ୍ଷ ଏକ ଡାକ୍ତରୀ ଦଳ ଗଠନ କରିଛନ୍ତି ।
ସୂଚନା ଅନୁସାରେ, ସୋମବାର ପଦ୍ମଶ୍ରୀ ପୂଜାରୀ ହଠାତ୍ ଅଚେତ ହୋଇପଡ଼ିବା ଯୋଗୁଁ ତାଙ୍କୁ ଜୟପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ କଟକ ବଡ଼ ମେଡିକାଲ ଅଣାଯାଇଥିଲା । ମଙ୍ଗଳବାର ସକାଳେ ସେ ଏସ୍ସିବିରେ ପହଞ୍ଚିଥିଲେ । ଏସସିବି କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଡାକ୍ତରୀ ଦଳ ଗଠନ କରିବା ସହ ପଦ୍ମଶ୍ରୀ ପୂଜାରୀଙ୍କ ଚିକିତ୍ସା ନିମନ୍ତେ ସମସ୍ତ ବନ୍ଦୋବସ୍ତ କରିଥିଲେ । ପୂର୍ବରୁ କିଡନୀ ରୋଗରେ ଆକ୍ରାନ୍ତ ହୋଇଥିବା କମଳା ପୂଜାରୀଙ୍କର ମୂତ୍ରାଶୟ ସଂକ୍ରମଣ ହୋଇଛି । ସେ ରକ୍ତହୀନତାର ମଧ୍ୟ ଶିକାର ହୋଇଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି । ତେବେ ଗତ ଜାନୁଆରୀ ପ୍ରଥମ ସପ୍ତାହରେ ସେ ଅସୁସ୍ଥ ହୋଇ ଏସ୍ସିବିକୁ ଆସିଥିଲେ । ୪ ଦିନ ଧରି ଏଠାରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିଲେ ।
ଅଧିକ ପଢ଼ନ୍ତୁ : ମେଟ୍ରୋରେ ଯାତ୍ରା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ