ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଓ କଂଗ୍ରେସ କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଆଇସିସି ଶୃଙ୍ଖଳା କମିଟି ପକ୍ଷରୁ ଏହି ନୋଟିସ୍ ଜାରି ହୋଇଛି ।
ସୂଚନା ଅନୁଯାୟୀ ମେ’ ୮ରେ ଭୁବନେଶ୍ୱର ସୂଚନା ଭବନରେ ଆୟୋଜିତ ଜାନକୀ - ବସନ୍ତ ଯୋଡ଼ି ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ ଶୀର୍ଷକ ଆଲୋଚନା ଚକ୍ରରେ ଏହି ଦୁଇ ନେତାଙ୍କ ବୟାନକୁ ନେଇ ଦଳ ବିରୋଧୀ ମନ୍ତବ୍ୟ ବୋଲି ଅଭିଯୋଗ ହୋଇଥିଲା। ଏମାନେ ରାଜ୍ୟ ନେତୃତ୍ଵକୁ ନେଇ ବି ପ୍ରଶ୍ନ କରିଥିଲେ । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଚିରଞ୍ଜିବ ବିଶ୍ୱାଳ କହିଥିଲେ, ଯିଏ ପିସିସି ସଭାପତି ହେବ ସେ ଆଉ କାହାକୁ ପଚାରିବେନି ୨୦୨୪ ନିର୍ବାଚନ ବେଳକୁ ୧୪୭ ବିଧାନସଭା ଆସନରେ ବିଧାୟକ ପ୍ରାର୍ଥୀ ମିଳିବେ କି ନାହିଁ ସନ୍ଦେହ । ୯ ରୁ ୯୦ ବିଧାୟକ ହେବ ଦେଖାଯାଉନାହିଁ । ଏଠି ମାଳ ମାଳ ମୁଖ୍ୟମନ୍ତ୍ରୀ ଆଶାୟୀ ବୋଲି କହିଥିଲେ ଚିରଞ୍ଜିବ । ସେହିପରି ସମାନ ଢ଼ଙ୍ଗରେ କଂଗ୍ରେସ ଦଳ ଓ ନେତାଙ୍କୁ ନେଇ ପ୍ରଶ୍ନ ଉଠାଇଥିଲେ ମହମ୍ମଦ ମୋକିମ୍ । ସେ କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳଙ୍କ ଆଦର୍ଶରୁ କିଛି ଶିଖିବା କଥା । କାନକୁହା କଥାରେ ବିଶ୍ୱାସ ନକରି, କାହାକୁ ଉପେକ୍ଷା ନକରି, ସାଥୀରେ ନେଇ ଆଗକୁ ବଢ଼ିଲେ ଦଳ ଉଠି ପାରିବ ।
ଏପରି ମନ୍ତବ୍ୟ ଦଳବିରୋଧୀ ବୋଲି କିଛି ନେତା ଦର୍ଶାଇଥିଲେ ଯାହାକୁ ଦୃଷ୍ଟିରେ ରଖି କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ କାର୍ଯ୍ୟକାରୀ ସଭାପତି ଚିରଞ୍ଜିବ ବିଶ୍ୱାଳଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଛି । ନୋଟିସରେ ୧୫ ଦିନ ଭିତରେ ଉତ୍ତର ରଖିବାକୁ କୁହାଯାଇଛି । ତେବେ ଦଳ ପକ୍ଷରୁ କୌଣସି ନୋଟିସ୍କୁ ପାଇନଥିବା ମୋକିମ୍ କହିଥିବା ବେଳେ ଚିରଞ୍ଜୀବ ବିଶ୍ୱାଳଙ୍କ ପ୍ରତିକ୍ରିୟା ମିଳିପାରିନି ।