ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଅସୁରାଳିର ଗଣପର୍ବ ଅଟେ ରଟନ୍ତି କାଳୀ ପୂଜା। ଦୀର୍ଘ ୭୭ ବର୍ଷରେ ପଦାର୍ପଣ କରିଥିବା ଏହି ମାତୃପୂଜା ପାଇଁ ଏବେ ଅସୁରାଳି ମାଟି ଉତ୍ସବମୁଖର ହୋଇଥିବା ବେଳେ ସମଗ୍ର ବଜାର ଆକର୍ଷଣୀୟ ସାଜ୍ଜସଜ୍ଜାରେ ଝଲସୁଛି।
ସୂଚନାଯୋଗ୍ୟଯେ, ରାଜ୍ୟର ହାତଗଣତି କେତେକ ଅଞ୍ଚଳରେ ହେଉଥିବା ରଟନ୍ତି କାଳୀପୂଜା ଅସୁରାଳିର ଦୀର୍ଘ ବର୍ଷ ଧରି ତାର ସ୍ୱତନ୍ତ୍ରତା ବଜାୟ ରଖିଛି। ୧୯୪୮ ମସିହାରେ ବିଶିଷ୍ଟ ଆଧ୍ୟାତ୍ମିକ ଗୁରୁ ଚେତନା ସଂଘ ଦେବୀ ଆଶ୍ରମର ପ୍ରତିଷ୍ଠାତା ଶ୍ରୀମଦ୍ ବୈରାଗୀ ବାବାଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଏହି ପୂଜା ସମୟ କ୍ରମେ ଏହି ପୂଜା ସାରା ରାଜ୍ୟରେ ପରିଚୟ ସୃଷ୍ଟି କରିବାକୁ ସମର୍ଥ ହୋଇଛି। ପ୍ରତିବର୍ଷ ମାଘ ଚତୁର୍ଦ୍ଦଶୀ ଦିନ ସନ୍ଧ୍ୟାରୁ ପୂଜା ଘଟ ସଂସ୍ଥାପନ ଠାରୁ ପୂଜାର ଆରମ୍ଭ ହୋଇଥାଏ। ମା 'ଙ୍କ ପୂଜାର୍ଚ୍ଚନା ସମ୍ପୂର୍ଣ୍ଣ ଶାସ୍ତ୍ରୀୟ ବିଧାନ ମତେ କରାଯାଉଥିବା ବେଳେ ଅହୋରାତ୍ର ଚଣ୍ଡିପାଠ,ହୋମ ଯଜ୍ଞ,ସ୍ଵତନ୍ତ୍ର ଚଣ୍ଡିପାଠ ଅନୁଷ୍ଠିତ ହୁଏ। ପ୍ରତ୍ୟେହ ସନ୍ଧ୍ୟାରେ ଦେବୀଙ୍କ ଆରତୀ ପୂଜା ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଲଉଥିବା ବେଳେ ନବ ଦିନାତ୍ମକ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳ ମୁଖରିତ ହୁଏ। ସ୍ଥାୟୀ ମଣ୍ଡପରେ ରାଜ୍ୟର ପ୍ରସିଦ୍ଧ ଲାଭ କରିଥିବା ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ସେମାନଙ୍କ କଳାକୃତି ପ୍ରଦର୍ଶନ କରିଥାନ୍ତି। ତେବେ ଚଳିତ ବର୍ଷ ମଧ୍ୟ ଏହି ପୂଜା ପାଇଁ ସ୍ଥାନୀୟ ଗ୍ରାମ ଗୁଡିକରେ ଉତ୍ସବ ପରିବେଶ ଦେଖିବାକୁ ମିଳିଛି। ମେଳା ପରିସରକୁ ଶହଶହ ଉଠା ଦୋକାନୀ ସାଙ୍ଗକୁ ସର୍କସ,ମୁକ୍ତ ମଞ୍ଚ ଅପେରା,ମୀନା ବଜାର ଆଦିର ଆୟୋଜନ ଅଧିକ ଆକର୍ଷଣୀୟ କରୁଛି। ଶୁକ୍ରବାର ସନ୍ଧ୍ୟାରୁ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କ ସମାଗମ ଆରମ୍ଭ ହୋଇଛି। ଅସୁରାଳି ବଣିକ ସଂଘ ଏବଂ ଆଞ୍ଚଳିକ ଜନସାଧାରଣଙ୍କ ସକ୍ରିୟ ସହଯୋଗରେ ଏହି ପୂଜା କ୍ରମଶଃ ଅଧିକ ଆକର୍ଷଣୀୟ ହୋଇଛି।
ଅଧିକ ପଢନ୍ତୁ: ଆଜି ଓଡ଼ିଶା ଆସୁଛନ୍ତି ଶିବରାଜ ସିଂ ଚୌହାନ