ଭୁବନେଶ୍ୱର : ନନ୍ଦନକାନନ ଆସିଲେ ନୂଆ ଅତିଥି। ଏଥର ପର୍ଯ୍ୟଟନ ଋତୁରେ ପର୍ଯ୍ୟଟକମାନେ ନୂଆ ଜୀବଜନ୍ତୁ ଦେଖିବେ । ଶନିବାର ରାତିରେ ଗୁଜରାଟର ବନ୍ତାରାରୁ ପ୍ରାଣୀ ଉଦ୍ୟାନରେ ଆସି ନୂଆ ଅତିଥି ପହଞ୍ଚିଛନ୍ତି । ଏମାନଙ୍କ ମଧ୍ଯରେ ୭ ପ୍ରଜାତିର ଜୀବଜନ୍ତୁ ରହିଛନ୍ତି । ଆସିଥିବା ଜନ୍ତୁ ମଧ୍ୟରେ ଜେବ୍ରା, କଙ୍ଗାରୁ, ୱାଇଲ୍ଡ ବିଷ୍ଟ, ମିରକାଟ, ମାକାଓ, କାସାୱାରି ସମେତ ବହୁ ବିରଳ ପ୍ରଜାତିର ପକ୍ଷୀ ରହିଛନ୍ତି । ନନ୍ଦନକାନନ ଆସିବା ପରେ ସମସ୍ତଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି । ମାସକ ପରେ ସେମାନଙ୍କୁ ଖୁଆଡ଼କୁ ଅଣାଯିବ ।ଏହି ନୂତନ ଜୀବଜନ୍ତୁଙ୍କୁ ଆଣିବା ପାଇଁ ନନ୍ଦନକାନନ ପ୍ରାଣୀଉଦ୍ୟାନ ପକ୍ଷରୁ ଦୀର୍ଘଦିନ ଧରି ପ୍ରୟାସ କରାଯାଉଥିଲା ।ଏଥିପାଇଁ ପୂର୍ବରୁ ନୂତନ ଖୁଆଡ଼ ନିର୍ମାଣ କରାଯାଇଥିଲା । ନନ୍ଦନକାନନକୁ ବିଶ୍ୱସ୍ତରୀୟ କରିବା ପାଇଁ ସରକାରଙ୍କ ପକ୍ଷରୁ ସହାୟତା ଯୋଗାଇ ଦିଆଯାଉଛି । ନୂଆ ଜୀବଜନ୍ତୁଙ୍କୁ ଆଣି ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ଏଭଳି ପଦକ୍ଷେପ ନିଆଯାଉଛି ।
ଅନ୍ୟପଟେ ବର୍ତ୍ତମାନ ବାଲେଶ୍ୱର ଜିଲ୍ଲାରୁ ଉଦ୍ଧାର ହୋଇ ଆସିଥିବା ୫ ଓରାଙ୍ଗଉଟାନ ଶାବକଙ୍କୁ ଲାଳନପାଳନ କରି ନନ୍ଦନକାନନ ଅନ୍ତର୍ଜାତୀୟସ୍ତରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିପାରିଛି । ଏଭଳି ସ୍ଥିତିରେ ନୂଆ ଜୀବଜନ୍ତୁ ଆସିବା ପଶୁପ୍ରେମୀ ଓ ପର୍ଯ୍ୟଟକମାନଙ୍କୁ ଉତ୍ସାହିତ କରିଛି । ତେବେ ଓରାଙ୍ଗଉଟାନ ସବୁଦିନ ପାଇଁ ନନ୍ଦନକାନନରେ ରହିବେ କି ନାହିଁ ଏପର୍ୟ୍ଯନ୍ତ କୌଣସି ନିଷ୍ପତ୍ତି ହୋଇନାହିଁ।