କନ୍ଧମାଳ ପୋଲିସ ହାତରେ ସାଇବର କ୍ରାଇମରେ ବ୍ୟବହାର ହେଉଥିବା ବ୍ୟାଙ୍କ ଜମା ଖାତାଧାରୀ ରାକେଟ। ବ୍ୟାଙ୍କରେ ମ୍ୟୁଲ ଆକାଉଣ୍ଟ ଖୋଲି କୋଟି କୋଟି ଟଙ୍କା ହଡ଼ପ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ପୋଲିସ। ଫୁଲବାଣୀ ଓ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢାଉ କରି ୫ ଜଣଙ୍କୁ ଗିରଫ କରିବା ସହିତ ପ୍ରାୟ ୬ କୋଟି ୨୬ ଲକ୍ଷ ଟଙ୍କା ଜବତ କରିଛି ପୋଲିସ। ଏନେଇ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ସୂଚନା ଦେଇଛନ୍ତି କନ୍ଧମାଳ ଏସପି।
ଘଟଣା ମୁତାବିକ, ରାକେଟ ଚଳାଉଥିବା ଜଣେ ଘରୋଇ ଫାଇନାନ୍ସ କମ୍ପାନୀ କର୍ମଚାରୀ ସମେତ ୫ ଜଣଙ୍କୁ କନ୍ଧମାଳ ସାଇବର ଥାନା ପୋଲିସ ଗିରଫ କରିଛି। ସେମାନଙ୍କ ଠାରୁ ପୋଲିସ ବିଭିନ୍ନ ବ୍ୟାଙ୍କରେ ଖୋଲା ଯାଇଥିବା ୧୬ଟି ଜମା ଖାତା, ୮ଟି ଏଟିଏମ, ଗୋଟିଏ ଲାପଟପ, ୧୧ଟି ମୋବାଇଲ ଓ ଗୋଟିଏ ପାସପୋର୍ଟ ଜବତ କରିଛି।
ଗିରଫ ହୋଇଥିବା ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ନାମ ତୁଷାରକାନ୍ତି ଦାସ। ସେ ଭୁବନେଶ୍ୱରର ଏକ ଘରୋଇ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ। ତାଙ୍କ ଘର ମୟୁରଭଞ୍ଜ ଜିଲ୍ଲାରେ ବୋଲି ଜଣାପଡିଛି। ସେହିପରି ଅନ୍ୟ ୪ ଜଣଙ୍କ ନାମ ହେଉଛି ଅବିନାଶ ମହାପାତ୍ର, କିରଣ କୁମାର ବେହେରା, ଗୋପାଳ ସିଂ ଏବଂ ବାଦଲ କୁମାର ସ୍ୱାଇଁ। ଏମାନଙ୍କ ଘର ଫୁଲବାଣୀ ଟାଉନ ଥାନା ଅଞ୍ଚଳରେ ବୋଲି କନ୍ଧମାଳ ଏଏସପି ରାମେନ୍ଦ୍ର ପ୍ରସାଦ ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି।