ଭୁବନେଶ୍ୱର : ଓଡ଼ିଆରେ ନାମ ଫଳକ ନ ଥିବାରୁ ୩୧୯ ଦୋକାନୀଙ୍କଠୁ ଜରିମାନା ଆଦାୟ ହୋଇଛି। ଏନେଇ ଗୃହରେ ସୂଚନା ଦେଲେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ। ଆଜି ବିଧାନସଭା ଅଧିବେଶନ ଥିଲା ପଞ୍ଚମ ଦିବସ। ଝାରସୁଗୁଡା ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନରେ ଉତ୍ତର ଦେଇଛନ୍ତି ମନ୍ତ୍ରୀ।
ଗୃହରେ ବିଧାୟକ ଟଙ୍କଧର ତ୍ରିପାଠୀ ପ୍ରଶ୍ନ କରିଥିଲେ ଯେ ୨୦୨୦ ମସିହା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ କେଉଁ କେଉଁ ତାରିଖରେ ବିଭିନ୍ନ ପ୍ରତିଷ୍ଠାନର ନାମଫଳକ ଓଡିଆରେ ଲେଖିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲାଣି; ଓଡ଼ିଆ ଭାଷାରେ ନାମଫଳକ ନ ଲେଖୁଲେ କ'ଣ ସବୁ ଦଣ୍ଡବିଧାନର ବ୍ୟବସ୍ଥା ରହିଛି ଓ ଏହି ଆଧାରରେ କେଉଁ ଜିଲ୍ଲାରେ କେତେ ସଂଖ୍ୟକ ପ୍ରତିଷ୍ଠାନ ବିରୁଦ୍ଧରେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ତାହାର ଏକ ଜିଲ୍ଲାୱାରୀ ତାଲିକା ପ୍ରଦାନ କରିବେ କି ?
ଉତ୍ତରରେ ଶ୍ରମ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କହିଛନ୍ତି ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ୍, ୧୯୫୬ ର ଧାରା ୪(୨) ଅନୁଯାୟୀ ସମସ୍ତ ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଭାଷାରେ ନାମ ଫଳକ ପ୍ରଦର୍ଶନ କରିବା ନିମନ୍ତେ ବାଧ୍ୟତାମୂଳକ କରାଯାଇଛି ସମ୍ବନ୍ଧରେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ ଉପରୋକ୍ତ ଆଇନ୍ ଧାରା ୩୮ ଅନୁଯାୟୀ ଏକ ନିର୍ଦ୍ଦେଶପତ୍ର ସଂଖ୍ୟା ୭୪୭ ତା ୦୧.୦୨.୨୦୧୮ ରେ ଜାରି କରାଯାଇଛି।
୨୦୨୦ ମସିହାଠାରୁ ବର୍ତ୍ତମାନ ସୁଦ୍ଧା ଏ ସମ୍ବନ୍ଧରେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ତରଫରୁ କୌଣସି ବିଜ୍ଞପ୍ତି ପ୍ରକାଶ ପାଇନଥିଲେ ମଧ୍ୟ ବିଭିନ୍ନ ସମୟରେ ଉକ୍ତ କାର୍ଯ୍ୟକୁ ଗୁରୁତ୍ବ ଦେବା ପରୀପ୍ରେକ୍ଷୀ ରେ ବିଭିନ୍ନ ବିଭାଗ ଅଧିନ କାର୍ଯ୍ୟାଳୟ ଗୁଡ଼ିକୁ ଓଡ଼ିଆ ଭାଷାରେ ନାମଫଳକ ପ୍ରଦର୍ଶନକୁ ପତ୍ରମାଧ୍ଯମରେ ସୁନିଶ୍ଚିତ କରିବାକୁ ପତ୍ର ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି।
ଓଡ଼ିଶା ଦୋକାନ ଓ ବାଣିଜ୍ୟ ପ୍ରତିଷ୍ଠାନ ଆଇନ, ୧୯୫୬ ର ଧାରା ୩୫ ଅନୁଯାୟୀ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବରେ ନାମଫଳକ ପ୍ରଦର୍ଶନ ପ୍ରାବଧାନକୁ ଖିଲାପ କଲେ ସମ୍ପୃକ୍ତ ଉଲଙ୍ଘନକାରୀଙ୍କ ବିରୁଦ୍ଧରେ ପ୍ରଥମ ଥର ଖ୍ଲାପ ନିମନ୍ତେ ୫୦୦୦ଙ୍କା ପର୍ଯ୍ୟନ୍ତ ଓ ୨ୟ ବିଧିବଦ୍ଧ ଖିଲାପ ନିମନ୍ତେ ଟ.୨୫,୦୦୦/-ଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାର ବିଧିବଦ୍ଧ ବ୍ୟବସ୍ଥା ରହିଛି I
ଓଡ଼ିଆରେ ନାମ ଫଳକ ଲେଖିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରୁଛନ୍ତି ରାଜ୍ୟ ସରକାର। ଏହି ଆଧାରରେ ବିଭିନ୍ନ ଶ୍ରମ କାର୍ଯ୍ୟାଳୟର ଅଧିକାରୀ ମାନଙ୍କ ଦ୍ବାରା ବିଭିନ୍ନ ସମୟରେ ନୀରିକ୍ଷଣ କରାଯାଇ ଉଲଙ୍ଘନକାରୀ ପ୍ରତିଷ୍ଠାନ ମାଲିକଙ୍କ ବିରୁଦ୍ଧରେ ଆଇନ୍ ମୁତାବକ କାର୍ଯ୍ୟାନୁଷ୍ଠାନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ୨୦୨୩ରୁ ୨୦୨୫ ମଧ୍ୟରେ ୨୫୯୪ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି। ୨୫୯୪ ଜଣଙ୍କ ମଧରୁ ୩୧୯ ଦୋକାନୀ ଜରିମାନା ଗଣିଛନ୍ତି।