ସରକାରୀ ଜାଗାରୁ ବେଆଇନ ଭାବେ କଟା ଯାଇଥିବା ୩୦ ହଜାର ଟଙ୍କାର କାଠକୁ ଜବତ କଲା ରାଜସ୍ୱ ବିଭାଗ। ସରକାରୀ ଜାଗାରେ ନିକଟରେ ରହୁଥିବା ସ୍ଥାନୀୟ ଲୋକ ବେଆଇନ ଭାବରେ ଏହି ଗଛଗୁଡିକ କାଟୁଥିବା ନେଇ ଗାଁ ଲୋକେ ଅଭିଯୋଗ କରିବା ପରେ ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳରେ ପହଁଚି କଟା ଗଛ ଗୁଡିକୁ ଜବତ କରିଥିଲେ। ତେବେ ଜବତ ହୋଇଥିବା ସମସ୍ତ କାଠକୁ ଗାଁ ଲୋକଙ୍କ ଜିମାରେ ଦେଇଛନ୍ତି ରାଜସ୍ୱ ନିରୀକ୍ଷକ।
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକ ମନ୍ଦାରସାହି ପଂଚାୟତର ସରକାରୀ ଜାଗାରେ ଥିବା ବିଶାଳ ଗଛ ଗୁଡିକୁ ସ୍ଥାନୀୟ ଲୋକ କାଟିଥିବା ନେଇ ଗାଁ ଲୋକେ ଭୋଗରାଇ ତହସିଲଦାର ପାଖରେ ଅଭିଯୋଗ କରିଥିଲେ। ଏ ନେଇ ଆଜି ସକାଳେ ରାଜସ୍ୱ ନିରୀକ୍ଷକ ଘଟଣା ସ୍ଥଳରେ ପହଁଚି କଟା ଯାଇଥିବା ଜାଗାର ସ୍ଥିତି ଅନୁଧ୍ୟାନ କରି ସମସ୍ତ ଗଛ ଗୁଡିକୁ ଜବତ କରିଛନ୍ତି। ସେଥିରେ ଆମ୍ବ, ଆକାଶୀ ଭଳି ବିଶାଳ କାୟ ବଡ ବଡ ସମସ୍ତ ଗଛ ରହିଛି। ତେବେ ଗଛ ଗୁଡିକୁ କାଟିବା ପାଇଁ କାହାଠୁ ଅନୁମତି ମିଳି ନ ଥିବା ବେଳେ ବେଆଇନ ଭାବରେ ଏହି ଗଛଗୁଡିକ କଟାଯାଇଛି। କଟା ଯାଇଥିବା ଗଛ ଗୁଡିକର ଆନୁମାନିକ ମୂଲ୍ୟ ପାଖାପାଖି ୩୦ହଜାର ଟଙ୍କା ହେବ ବୋଲ ଜଣାପଡିଛି। ତେବେ ଜବତ ହୋଇଥିବା ଗଛ ଗୁଡିକୁ ଗାଁ ଲୋକଙ୍କ ଜିମାରେ ଦିଆଯାଇଛି ବୋଲି ରାଜସ୍ୱ ନିରୀକ୍ଷକ କହିଛନ୍ତି।