ପୁରୀ: ଗୋଟିଏ ପଟେ ବାଲେଶ୍ୱର ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟ ଛାତ୍ରୀଙ୍କ ଆତ୍ମଦାହ ଖବର ମନରୁ ଲିଭି ନ ଥିବାବେଳେ ପୁରୀରୁ ଆଉ ଏକ ନାରକୀୟକାଣ୍ଡ ସାମ୍ନାକୁ ଆସିଛି । ବାଟରେ ଚାଲି ଚାଲି ଯାଉଥିବାବେଳେ ଜଣେ ନାବାଳିକାକୁ କିଛି ଦୁର୍ବୃତ୍ତ ପୋଟ୍ରୋଲ ଢାଳି ନିଆଁ ଲଗାଇ ଦେଇଛନ୍ତି । ପୀଡ଼ିତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଧିନସ୍ଥ ବାୟାଁବର ଗ୍ରାମର ଜଣେ ୧୫ ବର୍ଷୀୟା ନାବାଳିକା କୌଣସି କାମରେ ଯାଇ ଗୋପାଳପୁର ଗାଁରୁ ଘରକୁ ଫେରୁଥିଲେ । ଏହି ସମୟରେ ତିନି ଜଣ ଦୁର୍ବୃତ୍ତ ତାଙ୍କ ମୁହଁ କପଡ଼ା ଦେଇ ଉଠାଇ ନେଇଥିଲେ । ଏହା ପରେ ନିକଟସ୍ଥ ବନ୍ଧ ଉପରେ ନାବାଳିକାକୁ ୩ ଜଣ ଦୁର୍ବୃତ୍ତ ପେଟ୍ରୋଲ୍ ଢାଳି ନିଆଁ ଲଗାଇ ଦେଇଥିଲେ । ଝିଅଟି ଜୀବନ ବିକଳରେ ଏଣେ ତେଣେ ଧାଇଁବାକୁ ଆରମ୍ଭ କରିଥିଲା । ଜଳୁଥିବା ଅବସ୍ଥାରେ ସ୍ଥାନୀୟ ଲୋକେ ଦେଖି ନିଆଁ ଲିଭାଇଥିଲେ । ଏହା ପରେ ତାଙ୍କୁ ପିପିଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପିପିଲିରେ ବର୍ଣ୍ଣ ୟୁନିଟ୍ ନ ଥିବାରୁ ପ୍ରାଥମିକ ଚିକିତ୍ସା ପରେ ନାବାଳିକାକୁ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି ।
ନାବାଳିକାର ହାତ ଗୋଡ଼ ପୋଡ଼ିଯାଇଛି । ଏ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଦୋଷୀକୁ କଠୋରରୁ କଠୋର ଦଣ୍ଡ ଦେବାକୁ ଦାବି ହୋଇଛି ।
ଅନ୍ୟପକ୍ଷରେ ବଳଙ୍ଗା ଥାନା ପୋଲିସ ଘଟଣା ସ୍ଥଳରେ ପହଁଚିଛି । କାହିଁକି ନାବାଳିକାକୁ ଜାଳିଛନ୍ତି, ପାରିବାରିକ କଳହ ନା ଆଉ କିଛି କାରଣ ରହିଛି ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ । ବଳଙ୍ଗା ଓଆଇସି ଘଟଣାର ଅନୁଧ୍ୟାନ କରୁଛନ୍ତି ।