ପୁରୀ: ପୁରୀ ଜିଲ୍ଲା ବଳଙ୍ଗା ପୀଡ଼ିତାଙ୍କ ଘରର ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇ ଦିଆଯାଇଛି । ପୀଡ଼ିତାଙ୍କ ଘର ସାମ୍ନାରେ ୨୪ ଘଣ୍ଟିଆ ସୁରକ୍ଷା ଯୋଗାଇ ଦିଆଯାଉଛି । ସକାଳ ୬ଟାରୁ ରାତି ୧୦ଟା ଏବଂ ରାତି ୧୦ଟାରୁ ସକାଳ ୬ଟା ଯାଏ ପୋଲିସ ପ୍ରହରା ଦେବେ ।
ଅନ୍ୟପକ୍ଷରେ ଦିଲ୍ଲୀରେ ଏମ୍ସରେ ପୀଡ଼ିତାଙ୍କ ଆଉ ଏକ ଅସ୍ତ୍ରୋପଚାର କରାଯାଇଥିବାବେଳେ ତୃତୀୟ ଥର ପାଇଁ ବୟାନ ରେକର୍ଡ କରାଯାଇଛି । ପୀଡ଼ିତା ନାବାଳିକାଙ୍କ ବୟାନରେ ତାଳମେଳ ରହୁନଥିବା ଜଣାପଡ଼ିଛି । ଭୁବନେଶ୍ୱର ଏମ୍ସରେ ଗୋଟିଏ ବୟାନ ଦେଇଥିବାବେଳେ ଦିଲ୍ଲୀ ଏମ୍ସରେ ଆଉ ଏକ ବୟାନ ଦେଇଥିଲେ । ତେଣୁ ତୃତୀୟ ଥର ପାଇଁ ତାଙ୍କର ବୟାନ ରେକର୍ଡ କରାଯାଇଛି ।
ଘଟଣାକୁ ଦଶ ଦିନ ବିତିଥିବାବେଳେ ପୋଲିସ ଅଭିଯୁକ୍ତଙ୍କୁ ଧରିବାରେ ଅସଫଳ ରହିଛି । ଗତ ୧୯ ତାରିଖରେ ନୂଆ ଗୋପାଳପୁରର ନାବାଳିକା ତାଙ୍କ ସାଙ୍ଗଙ୍କ ଘରକୁ ଯାଇ ଫେରୁଥିବାବେଳେ ତିନି ଜଣ ଯୁବକ ତାଙ୍କୁ ଉଠାଇ ନେଇ ନଦୀ ବନ୍ଧ ଉପରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ସ୍ଥାନୀୟ ଦୁଃଖିଶ୍ୟାମ ସେନାପତି ନାବାଳିକାଙ୍କୁ ଉଦ୍ଧାର କରି ମେଡ଼ିକାଲ ପଠାଇ ଥିଲେ ।