ଆଉ ଦୁଇଦିନ ପରେ ପବିତ୍ର ସ୍ନାନ ପୂର୍ଣ୍ଣିମା । ରତ୍ନ ସିଂହାସନରୁ ସ୍ନାନବେଦୀକୁ ଆସିବେ ଚତୁର୍ଦ୍ଧାମୂର୍ତ୍ତୀ । ଗଜବେଶରେ ଲକ୍ଷ ଲକ୍ଷ ଲୋକଙ୍କୁ ଦର୍ଶନ ଦେବେ ମହାପ୍ରଭୁ । ଏଥିପାଇଁ ସ୍ନାନବେଦୀକୁ ରଙ୍ଗତୂଳୀରେ ସୁସଜ୍ଜୀକରଣ କରାଯାଇଛି । ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ଅଧିକ ଭକ୍ତ ଆସିପାରନ୍ତି । ପାଖାପାଖି ୭ରୁ୮ ଲକ୍ଷ ଭକ୍ତଙ୍କ ସମାଗମ ହେବା ନେଇ ଆକଳନ କରାଯାଉଛି ।
ଆଉ ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଭିଡକୁ ଦୃଷ୍ଟିରେ ରଖି ଦର୍ଶନ ଉପରେ ମଧ୍ୟ କଡା ନଜର ରଖାଯାଇଛି । ଉଭୟ ଶ୍ରୀମନ୍ଦିର ଭିତରେ ଓ ବାହାରେ ଭକ୍ତଙ୍କ ପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଉଛି। ଏହାସହ ଭକ୍ତଙ୍କ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ୭୦ ପ୍ଲାଟୁନ୍ ପୁଲିସ ଫୋର୍ସ ସହ ୪ ଜଣ ଏସ୍ପି, ୧୨ ଜଣ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ଡିଏସ୍ପି ର୍ୟାଙ୍କର ଅଧିକାରୀ, ୩୫ ଜଣ ଇନ୍ସପେକ୍ଟରଙ୍କୁ ନିୟୋଜିତ କରାଯାଇଛି।