କଟକ: ବେଆଇନ କଫ୍ ସିରପ ଚୋରା ଚାଲାଣ ଓ ବ୍ୟବସାୟ କାରବାରରେ ରାଜ୍ୟ ପୋଲିସକୁ ବଡ଼ ସଫଳତା ମିଳିଛି । ଏଯାବତ୍ ୬୧ଟି ମାମଲା ରୁଜୁ କରାଯିବା ସହ ମୋଟ ୭୩,୧୮୧ ବୋତଲ ନିଶାଦ୍ରବ୍ୟ ମିଶ୍ରିତ କଫ ସିରପ ଜବତ କରାଯାଇଛି । ଏହି କାରବାରରେ ସମ୍ପୃକ୍ତ ୧୮୧ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ସୂଚନା ଦେଇଛି ରାଜ୍ୟ ପୋଲିସ ।
ବେଆଇନ କଫ୍ ସିରପ୍ ଚୋରା ଚାଲାଣ ଏବଂ ବ୍ୟବସାୟକୁ ରୋକିବାକୁ ଓଡିଶା ପୋଲିସ କଠୋର ପଦକ୍ଷେପ ଗ୍ରହଣ କରୁଛି । ବିଗତ କିଛି ଦିନ ମଧ୍ୟରେ ସ୍ୱତନ୍ତ୍ର ଅଭିଯାନ ଜରିଆରେ ଅନେକ ଲୋକଙ୍କୁ ଗିରଫ କରାଯାଇ ସାରିଲାଣି । ଭୁବନେଶ୍ୱର ଏସଟିଏଫ୍ ସର୍ବାଧିକ ୨୬,୬୫୮ ବୋତଲ କଫ ସିରପ୍ ଜବତ କରି ଏହି ଅଭିଯାନରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସେହିପରି ସମ୍ବଲପୁର ଜିଲ୍ଲା ପୋଲିସ ୧୩ଟି ମାମଲା ରୁଜୁ କରାଯାଇ ଥିବା ବେଳେ ୧୯,୯୦୮ ବୋତଲ କଫ ସିରପ ଜବତ କରାଯାଇଛି । ବରଗଡ଼ ଜିଲ୍ଲା ପୋଲିସ ୧୭ଟି ମାମଲା ଓ ୧୨,୮୫୬ ବୋତଲ, ବଲାଙ୍ଗୀର ୧୨ଟି ମାମଲା ଓ ୫,୪୬୮ ବୋତଲ, ସୁବର୍ଣ୍ଣପୁର ଜିଲ୍ଲାରେ ୬ଟି ମାମଲା ଓ ୪୫୧ ବୋତଲ, ବୌଦ୍ଧ ଜିଲ୍ଲାରେ ୪ ଟି ମାମଲା ସହିତ ୧୮୮୬ ବୋତଲ ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ୩ଟି ମାମଲା ସହିତ ୫୯୫ ବୋତଲ କଫ ସିରପ ଜବତ କରାଯାଇଛି।
ସମ୍ବଲପୁର ଜିଲ୍ଲା ପୋଲିସ ୬୬ ଜଣଙ୍କୁ ଗିରଫ କରିଥିବା ବେଳେ, ବରଗଡ଼ ପୋଲିସ ୬୪, ବଲାଙ୍ଗୀର ପୋଲିସ ୨୩ , ସୁବର୍ଣ୍ଣପୁର ପୋଲିସ ୭ ଜଣ, ସୁନ୍ଦରଗଡ ୬ ଜଣ ଏବଂ କେଉଁଝର ଜିଲ୍ଲାରେ ୬ ଜଣଙ୍କୁ ଗିରଫ କରାଯାଇଛି, ଯାହା ନିଶା କାରବାର ନେଟୱର୍କକୁ ଭାଙ୍ଗିବାରେ ପୋଲିସର ତତ୍ପରତାକୁ ଦର୍ଶାଉଛି।
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଏଥିପାଇଁ ସମସ୍ତ ଜିଲ୍ଲା ଏବଂ ସ୍ୱତନ୍ତ୍ର ଟାସ୍କ ଫୋର୍ସକୁ ପ୍ରଶଂସା କରିଛନ୍ତି । ଆଗାମୀ ଦିନରେ ଏହିପରି ଅଭିଯାନ ଜାରି ରହିବା ସହ ନିଶା ବ୍ୟବସାୟୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି ସୂଚନା ଦେଇଛନ୍ତି।