ଭୁବନେଶ୍ୱର: ମହାନଦୀ ଜଳ ବିବାଦ ମାମଲାରେ ରାଜ୍ୟ ସରକାର ଉଚ୍ଚ ସ୍ତରୀୟ କମିଟି ଗଠନ କରିଛନ୍ତି । କମିଟିରେ ସଦସ୍ୟ ଥିବା ବିଧାୟକ ଜୟ ନାରାୟଣ ମିଶ୍ର ବଡ଼ ବୟାନ ଦେଇଛନ୍ତି । ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା ବୋଲି କହିଛନ୍ତି ଜୟ ନାରାୟଣ ।
ଜୟ ନାରାୟଣ କହିଛନ୍ତି ମହାନଦୀ ଜଳ ବିବାଦର ସମାଧାନ ପାଇଁ ଟ୍ରିବ୍ୟୁନାଲକୁ ଯିବା ଭୁଲ ନିଷ୍ପତ୍ତି ଥିଲା । ଏଥିରେ ରାଜନୈତିକ ସମାଧାନ ଆବଶ୍ୟକ ରହିଛି । ଆଲୋଚନା ମାଧ୍ୟମରେ ସମାଧାନ କରାଯିବ । ଛତିଶଗଡ଼ ଯେମିତି ବ୍ୟାରେଜ୍ ନିର୍ମାଣ କରିଛି ସେହିପରି ମହାନଦୀ ତଳ ମୁଣ୍ଡରେ ଓଡ଼ିଶା ସରକାର ବ୍ୟାରେଜ୍ ନିର୍ମାଣ କରିବା ଆବଶ୍ୟକ । କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ସମାଧାନ ପାଇଁ ଡାକିଥିଲେ କିନ୍ତୁ ପୂର୍ବ ସରକାର ସେତେବେଳେ ସମାଧାନ ନ କରି କାହିଁକି ଟ୍ରିବ୍ୟୁନାଲ ଗଲେ ତାହା ବୁଝାପଡ଼ୁନାହିଁ । ଟ୍ରିବ୍ୟୁନାଲ ଯିବା ଦ୍ୱାରା ପ୍ରକ୍ରିୟା ବିଳମ୍ବ ହୋଇଛି ।
ସେହିପରି ଅନ୍ୟ ଜଣେ କମିଟି ସଦସ୍ୟା ଥିବା ବିଧାୟିକା ସୋଫିଆ ଫିର୍ଦ୍ଦୋସ୍ କହିଛନ୍ତି ଯେ କମିଟି ଗଠନକୁ ସ୍ୱାଗତ କରିଛନ୍ତି । ମହାନଦୀ ଜୀବନ ରେଖା ଅଟେ । ଚାଷୀମାନେ ଏହା ଉପର ନିର୍ଭରଶୀଳ ଅଟନ୍ତି । ଖରା ଦିନେ ଶୁଖିଲା ଏବଂ ବର୍ଷା ଦିନେ ବନ୍ୟା । ଏବେ ସମାଧାନର ସଠିକ୍ ସମୟ ରହିଛି । କାରଣ ବର୍ତ୍ତମାନ ଟ୍ରିପଲ୍ ଇଞ୍ଜିନ୍ ସରକାର ଚାଲିଛି । କମିଟିରେ ମଧ୍ୟ ଅଧିକାଂଶ ସରକାରୀ ଦଳର ସଦସ୍ୟ ଅଛନ୍ତି । ଚାଷୀଙ୍କ ଲାଭ ପାଇଁ ତେଣୁ ଯାହା ପ୍ରସ୍ତାବ ରଖାଯିବ । ସମସ୍ତେ ଗୋଟିଏ ଚିନ୍ତାଧାରାରେ ଗଲେ ସମସ୍ୟାର ସମାଧାନ ହେବ ବୋଲି ସୋଫିଆ ଆଶା ରଖିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶରେ ଉପ ମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ କମିଟି ଗଠନ କରାଯାଇଛି । ଯେଉଁଥିରେ ସୁରେଶ ପୂଜାରୀ, ପୃଥ୍ବୀରାଜ ହରିଚନ୍ଦନ, ସମ୍ପଦ ସ୍ବାଇଁ, ସରୋଜ ପ୍ରଧାନ, ନିରଞ୍ଜନ ପୂଜାରୀ, ଜୟନାରାୟଣ ମିଶ୍ର ଓ ସୋଫିଆ ଫିର୍ଦ୍ଦୋସ୍ ପ୍ରମୁଖ ସଦସ୍ୟ ରହିଛନ୍ତି।