ଦେବଗଡ଼: ଆଜି ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ଡାକରା। ତେବେ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋଠାରେ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟସେବା ଦାବି ନେଇ ଏହି ବନ୍ଦ କରାଯାଇଛି। ଜିଲ୍ଲା ଯୁବ ଏକତା ମଞ୍ଚ ପକ୍ଷରୁ ଏହି ଡାକରା ଦିଆଯାଇଛି। ତେବେ ଏହି ବନ୍ଦରେ ଅତ୍ୟବଶ୍ୟକ ସାମଗ୍ରୀ, ଚିକିତ୍ସା ସେବା, ପରୀକ୍ଷାର୍ଥୀଙ୍କୁ ବାଦ୍ ଦିଆଯାଉଥିବା ବେଳେ ଦୋକାନ ବଜାର, ସରକାରୀ-ବେସରକାରୀ ଅନୁଷ୍ଠାନ, ବସ-ମଟର ବନ୍ଦ ରହିଛି। ତେବେ ଏହି ବନ୍ଦ କାରଣରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।
ସୂଚନା ଅନୁସାରେ, ଦେବଗଡ଼ ଜିଲ୍ଲାରେ ଗୋପାଳଜୀଉ ମନ୍ଦିର ପରିସରରେ ପୂର୍ବରୁ ଜିଲ୍ଲା ଯୁବ ଏକତା ମଞ୍ଚ ପକ୍ଷରୁ ସ୍ଥାନୀୟ ବୈଠକ ବସିଥିଲା। ସେଥିରେ ସମସ୍ତ ସମସ୍ୟାକୁ ନେଇ ଆଲୋଚନା ହୋଇଥିଲା। ଏହାସହିତ ସର୍ବସମ୍ମତି କ୍ରମେ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ନିଷ୍ପତି ନିଆଯାଇଥିଲା। ଏହି ବନ୍ଦ ପାଳନକୁ ବିଭିନ୍ନ ରାଜନୈତିକ ଦଳ ଓ ସାମାଜିକ ସଂଗଠନ ସମର୍ଥନ କରିଛନ୍ତି। ୪୯ ନମ୍ବର ଜାତୀୟ ରାଜପଥରେ ଗାଡ଼ିମଟର ଅଟକାଇଛନ୍ତି ଆନ୍ଦୋଳନାକାରୀ। ଏହିସହିତ ବିଭିନ୍ନ ସ୍ଥାନରେ ପିକେଟିଂ ମଧ୍ୟ କରୁଛନ୍ତି। ଏପରିକି ଦାବି ପୂରଣ ନ ହେଲେ ଏହିପରି ରାଜରାସ୍ତାରେ ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି।