କେନ୍ଦ୍ରାପଡା :ନେତାଜୀ ଜୟନ୍ତୀକୁ ଧୁମଧାମରେ ପାଳନ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲା ବେସରକାରୀ ଶିକ୍ଷାନୁଷ୍ଠାନ ସମୂହ।ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜୟନ୍ତୀରେ ଜିଲ୍ଲା ଘରୋଇ ବିଦ୍ୟାଳୟ ଆସୋସିଏସନ ୧ କିଲୋମିଟର ଲମ୍ବର ତ୍ରିରଙ୍ଗା ଶୋଭାଯାତ୍ରା କରିଛନ୍ତି ଯାହାକୁ "ଜସନ-ଏ-ତ୍ରିରଙ୍ଗା" ନାମକରଣ କରାଯାଇଛି। ଜିଲ୍ଲାରେ ଥିବା ସମସ୍ତ ଘରୋଇ ବିଦ୍ୟାଳୟର ଅନ୍ୟୁନ ୩ ହଜାରରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇ ଜାତୀୟ ପତାକାକୁ ସମ୍ମାନର ସହ କାନ୍ଧରେ ବାହି ନେଇଥିଲେ।
କେନ୍ଦ୍ରାପଡ଼ା ପୋୖରାଞ୍ଚଳ ଅଧିନ ଇଚ୍ଛାପୁର ସ୍ଥିତ ମାଉସୀ ମା' ମନ୍ଦିର ନିକଟରୁ ବାହାରି ଥିବା ଏହି ଶୋଭାଯାତ୍ରା ଦୀର୍ଘ ୧୦ କିଲୋମିଟର ଅତିକ୍ରମ କରି ଭାରତୀ ବିଦ୍ୟାମନ୍ଦିର ଠାରେ ସମାପିତ ହୋଇଥିଲା। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ସ୍ୱାଧୀନତା ଆନ୍ଦୋଳନର ମହତ୍ତ୍ୱ,ସ୍ୱାଧୀନତା ସଂଗ୍ରାମୀ ମାନଙ୍କର ମୂଲ୍ୟବାନ ବଳିଦାନ, ବର୍ତ୍ତମାନ ଭାରତର ସ୍ଥିତି ଓ ଭବିଷ୍ୟତର ଭାରତ ଗଠନ ଦିଗରେ ଛାତ୍ରଛାତ୍ରୀ ମାନଙ୍କର ଭୂମିକା ଅବତାରଣ ନିମନ୍ତେ ଏହି ଶୋଭାଯାତ୍ରା କରାଯାଇଥିବା ଆୟୋଜକ କହିଛନ୍ତି । ତେବେ ଶୋଭାଯାତ୍ରାରେ ସାମିଲ ହୋଇଥିବା ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ସହରର ବୁଦ୍ଧିଜୀବି, ବରିଷ୍ଠ ନାଗରିକ, ପ୍ରଶାସକ, ଲୋକ ପ୍ରତିନିଧି ମାନେ ଅଭ୍ୟର୍ଥନା ଜଣାଇଥିଲେ।