ରାୟଗଡ଼ା: ଭିଜିଲାନ୍ସ ଜାଲରେ ପଡ଼ିଥିବା ରାୟଗଡ଼ା ଜିଲ୍ଲା ଜନ ସ୍ୱାସ୍ଥ୍ୟ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସହଦେବ କିଶାନଙ୍କର ୫୦ ଲକ୍ଷ ଟଙ୍କାର ଜମା ରାଶି ଜବତ ହୋଇଛି । ଏହା ସହିତ ସମ୍ବଲପୁର ସହରରେ ବହୁ ମୂଲ୍ୟର ୨ ଟି ଦାମୀ ପ୍ଲଟ୍, ୧୦୦ ଗ୍ରାମ୍ ସୁନା ଅଳଙ୍କାର ଏବଂ ୧୦ ଲକ୍ଷ ଟଙ୍କାର ଘରର ଆସବାବ ପତ୍ର ଠାବ କରାଯାଇଛି ।
ପ୍ରକାଶ ଥାଉକି କି, ଗତକାଲି ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେବାବେଳେ ଯନ୍ତ୍ରୀ ସହଦେବ କିଶାନଙ୍କୁ ଭିଜିଲାନ୍ସ ଧରିଥିଲା । ଏହା ପରେ ତାଙ୍କର ଦୁଇଟି ଠିକଣାରେ ଚଢ଼ଉ କରାଯାଇଥିଲା । ଗତକାଲି ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ନେଇ ସକରାରୀ ବାସଭବନକୁ ଯାଉଥିବାବେଳେ ପୂର୍ବ ଯୋଜନା ମୁତାବକ ତାଙ୍କୁ ଭିଜିଲାନ୍ସ ଧରିଥିଲା । ତାଙ୍କ ନିକଟରୁ ୩ଟି ୫୦୦ ଟଙ୍କିଆ ବିଡ଼ା ମିଳିଥିଲା । ଯେଉଁଥିରେ ଦେଢ଼ ଲକ୍ଷ ନଗଦ ଟଙ୍କା ଥିଲା ।
୨୦୧୬ ମାର୍ଚ୍ଚ ୨୯ ତାରିଖରେ ଗୃହ ଓ ନଗର ଉଲ୍ଲୟନ ବିଭାଗ ଅଧିନସ୍ଥ ଓଡ଼ିଶା ଜଳ ସ୍ୱରେଜ ବୋର୍ଡରେ ସମ୍ବଲପୁରରେ ସହକାରୀ ନିର୍ବାହୀ ଯନ୍ତ୍ରୀ (ଏଇଇ) ଭାବେ ଯୋଗ ଦେଇଥିଲେ । ୨୦୨୨ରେ ତାଙ୍କର ନିର୍ବାହୀ ଯନ୍ତ୍ରୀକୁ ପଦୋନ୍ନତି ହୋଇଥିଲା । ଚଳିତବର୍ଷ ମାର୍ଚ୍ଚ ୧ ରେ ଅଧିକ୍ଷଣ ଯନ୍ତ୍ରୀ (ଏସ୍ଇ) ପଦବୀକୁ ପଦୋନ୍ନତି ଦିଆଯାଇଥିଲା । ସେ ବର୍ତ୍ତମାନ ରାୟଗଡ଼ାରେ ଏସଇ ଭାବରେ କାର୍ଯ୍ୟ ଜାରି ରଖିଛନ୍ତି ।
ତେବେ ସହଦେବଙ୍କ ବିରୁଦ୍ଧରେ ଏହା ପ୍ରଥମ ଅଭିଯୋଗ ନୁହେଁ । ୨୦୨୩ରେ ମଧ୍ୟ ସେ ଲାଞ୍ଚ ନେଇ ଜେଲ୍ ଯାଇଥିଲେ ।