ନୟାଗଡ଼: ଗୋଟିଏ ଦିନ ପରେ ପୁଣି ଥରେ ଚର୍ଚ୍ଚାରେ ନୟାଗଡ଼ ପଞ୍ଚରିଡ଼ା ବନାଞ୍ଚଳ । ଘର ଭିତରୁ ବନ ଅଧିକାରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର ହୋଇଛି । ପଞ୍ଚରିଡ଼ା ବନ ଅଧିକାରୀ ଶିଶର ସାହୁଙ୍କ ଦରପୋଡ଼ା ମୃତ ଦେହ ମିଳିଛି । ତାଙ୍କ ପତ୍ନୀ ସାମାନ୍ୟ ଆହତ ହୋଇଥିବାବେଳେ ପୁଅ ସୁସ୍ଥ ଅଛନ୍ତି । ଶରଣକୁଳ ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛନ୍ତି ।
ପଞ୍ଚରିଡ଼ା ବନ ଅଧିକାରୀ ଶିଶର ସାହୁ ଗତକାଲି ରାତିରେ ବାରମାସୀଦଣ୍ଡାସ୍ଥିତ ତାଙ୍କ ବାସଭବନରେ ଶୋଇଥିଲେ । ହେଲେ ରାତିରେ ହଠାତ୍ ତାଙ୍କ ବାସଭବନରେ ନିଆଁ ଲାଗିଥିଲା । ଫରେଷ୍ଟରଙ୍କୁ ମୃତ୍ୟୁ ହୋଇଥିବାବେଳେ ତାଙ୍କ ପତ୍ନୀ ସାମାନ୍ୟ ଆହତ ହୋଇ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ତେବେ ନିଆଁ କିପରି ଲାଗିଲା କିମ୍ବା କିଏ ଲଗାଇଛି ସେ ନେଇ କିଛି ସ୍ପଷ୍ଟ ହୋଇ ନାହିଁ । ଶରଣକୁଳ ପୋଲିସ ଘଟଣା ସ୍ଥଳରେ ପହଁଚି ମୃତ ଦେହକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତକାଲି ପଞ୍ଚରିଡ଼ା ବନାଞ୍ଚଳ ଗୋଚ୍ଛା ଜଙ୍ଗଲରେ ଶିକାର କରିବାକୁ ଯାଇଥିବା ଜଣେ ଶିକାରୀଙ୍କ ଗୁଳିରେ ଅନ୍ୟ ଜଣେ ସାଥୀଙ୍କର ଜୀବନ ଚାଲିଯାଇଥିଲା । ଘଟଣାକୁ ଚପାଇ ଦେବା ପାଇଁ ଗ୍ରାମବାସୀମାନେ ଅପୋସ ବୁଝାମଣା କରି ମୃତ ସୂର୍ଯ୍ୟମଣୀ ପ୍ରଧାନଙ୍କୁ ଜଙ୍ଗଲରେ ପୋଡ଼ି ଦେଇଥିଲେ । ଖବର ପାଇ ପୋଲିସ ଉକ୍ତ ମୃତ ଦେହକୁ ଜବତ କରିଥିଲା । ମୃତ ପରିବାରୁ ଶୀକାରୀ ତଥା ଅଭିଯୁକ୍ତ ଧନେଶ୍ୱର ସାହୁ ୨ ଲକ୍ଷ ଟଙ୍କା ଏବଂ ୪ ମାଣ ଜମି ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।