ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନ ଅବସରରେ ମଞ୍ଚ ଉପରେ ପ୍ରଶାସନ ଆଗରେ ଅଭିନୟ ଉପାୟରେ କୁନି ଝିଅର ଗୁହାରି କରିଥିବା ଭିଡ଼ିଓଟି ଏବେ ଭାଇରଲ ହେଉଛି । ଅଭିନୟ ମାଧ୍ୟମରେ ସରକାରଙ୍କ ସବୁ ପୋଲ ଖୋଲି ଦେଇଥିଲା କୁନି ଝିଅଟି। ସେଠାରେ ଉପସ୍ଥିତ ଥିବା ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ବିଧାୟକ, ଜିଲ୍ଲାପାଳଙ୍କ ସମେତ ସବୁ ବଡ଼ ବଡ଼ ଅଧିକାରୀଙ୍କ ଆଗରେ କୋରାପୁଟବାସୀଙ୍କ ଦୁଃଖ ବଖାଣିଛି କୁନି ଝିଅ । କୋରାପୁଟ ଜିଲ୍ଲାର ଦସମନ୍ତପୁର ବ୍ଲକର ବାସ୍ତବ ସ୍ଥିତି ଓ ସମସ୍ୟା ସମ୍ପର୍କରେ ବଖାଣି ପ୍ରଶାସନକୁ ଦର୍ପଣ ଦେଖାଇଛି ଏହି କଅଁଳ ପ୍ରତିଭା । କୁନି ଝିଅର ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ପିଲାଟିର ଅଭିନୟ ଛଳରେ ଅଭିଯୋଗ ବେଳେ ମଞ୍ଚରେ ଥିବା ସମସ୍ତ ଅତିଥି ହସୁଥିବା ଦେଖିବାକୁ ମିଳିଥିଲା । ଅଭିନୟ ଢଙ୍ଗରେ ପୁଳାପୁଳା ଅଭିଯୋଗ ଫର୍ଦ୍ଦ ଖୋଲିଥିବା କୁନି ଝିଅଟି ହେଉଛି କୋରାପୁଟ ସରସ୍ୱତୀ ଶିଶୁ ମନ୍ଦିରର ଶିଶୁ ବାଟିକାରେ ପଢ଼ୁଥିବା ୪ ବର୍ଷର ସୋନାଲି ଦାଶ । କୁନି ଝିଅର ସାହସ ଓ ପ୍ରଚେଷ୍ଟାକୁ ଜନସାଧାରଣରେ ଭୁରି ଭୁରି ପ୍ରଶଂସା କରାଯାଉଛି ।