ଆଇସିସି ୨୦୧୯ ଦିନିକିଆ ଓ ଟେଷ୍ଟ ଦଳ ଘୋଷଣା, ଉଭୟ ଫମାର୍ଟର ଅଧିନାୟକ ହେଲେ କୋହଲି
Khabar Odisha:sports--cricket--odisha-virat-kohli-named-captain-of-iccs-odi-and-test-teams-of-year
ଦୁବାଇ, ଜାନୁଆରୀ୧୫(ଖବର ଓଡ଼ିଶା):

ଦମଦାର ଫର୍ମରେ ଥିବା ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ବୁଧବାର ଅନ୍ତରାଷ୍ଟ୍ରୀୟ କ୍ରିକେଟ୍ ପରିଷଦ(ଆଇସିସି) ବର୍ଷର ଟେଷ୍ଟ ଓ ଦିନିକିଆ ଦଳର ଅଧିନାୟକ ଭାବେ ଚୟନ କରିଛି। କୋହଲିଙ୍କ ବ୍ୟତୀତ  ଆଉ ଚାରି ଜଣ ଭାରତୀୟ କ୍ରିକେଟରଙ୍କୁ ଟେଷ୍ଟ ଓ ଦିନିକିଆ ଦଳରେ ସାମିଲ କରାଯାଇଛି। ଟେଷ୍ଟ ଦଳରେ ମୟଙ୍କ ଅଗ୍ରଓ୍ଵାଲ ମଧ୍ୟ ଥିବା ବେଳେ ଓପନିଂ ବ୍ୟାଟସମ୍ୟାନ ରୋହିତ ଶର୍ମା, ଦ୍ରୁତ ବୋଲର ମହମ୍ମଦ ସାମି ଓ ବାମହାତୀ ସ୍ପିନର କୁଲଦୀପ ଯାଦବ ଦିନିକିଆ ଦଳରେ ଅଛନ୍ତି।

କୋହଲି ୨୦୧୯ରେ ଦୁଇଟି ଫର୍ମାଟରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ  ଟେଷ୍ଟ କ୍ରିକେଟରେ ସପ୍ତମ ଦ୍ଵିଶତକ ଅର୍ଜନ କରି ଗତ ବର୍ଷ ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜିତ ୨୫୪ ରନ କରିଥିଲେ। ଓପନିଂ ବ୍ୟାଟସମ୍ୟାନ ଅଗ୍ରଓ୍ଵାଲ ଦୁଇଟି ଦ୍ଵିଶତକ, ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ। ସେ ବାଂଲାଦେଶ ବିପକ୍ଷ ନଭେମ୍ବରରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ କ୍ୟାରିୟରର ସର୍ବଶ୍ରେଷ୍ଠ ୨୪୩ ରନ କରିଥିଲେ। 

ଦିନିକିଆ ଉପଅଧିନାୟକ ରୋହିତ ଶର୍ମା ବିଶ୍ଵକପରେ ପାଞ୍ଚ ଶତକ ଓ ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ। କୁଲଦୀପ ଦୁଇଟି ହ୍ୟାଟ୍ରିକ ନେଇଥିଲେ। ସେ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷ ଗତ ମାସରେ କ୍ୟାରିୟରରେ ଦ୍ଵିତୀୟ ହ୍ୟାଟ୍ରିକ ନେଇଥିଲେ। ଯଶପ୍ରୀତ ବୁମରାଙ୍କ ଅନୁପସ୍ଥିତିରେ ସାମି ୧୨ ମାସରେ ୨୧ଟି ଦିନିକିଆରୁ ୪୨ ଓ୍ଵିକେଟ୍ ନେଇଛନ୍ତି। 

୨୦୧୯ ବର୍ଷ ପାଇଁ ଏମିତି ରହିଛି ଆଇସିସି ଦଳ

ଦିନିକିଆ ଦଳ – ରୋହିତ ଶର୍ମା, ସାଇ ହୋପ, ବିରାଟ  କୋହଲି(ଅଧିନାୟକ), ବାବର ଆଜମ, କେନ ଓ୍ଵିଲିୟମସନ, ବେନ ଷ୍ଟୋକ୍ସ, ଜୋସ ବଟଲର, ମିଚେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ,ମହମ୍ମଦ ସାମି, କୁଲଦୀପ ଯାଦବ।

ଟେଷ୍ଟ ଦଳ- ମୟଙ୍କ ଅଗ୍ରଓ୍ଵାଲ, ଟମ ଲାଥମ, ମାର୍ନସ ଲାବୁସାନେ, ବିରାଟ କୋହଲି(ଅଧିନାୟକ), ଷ୍ଟିଭ ସ୍ମିଥ, ବେନ ଷ୍ଟୋକ୍ସ, ବିଜେ ଓ୍ଵାଟଲିଙ୍ଗ, ପାଟ କମିନ୍ସ, ମିଚେଲ ଷ୍ଟାର୍କ, ନିଲ ଓ୍ଵାଗନର, ନାଥନ ଲିୟନ।

Subscribe

National International State Sports Entertainment