ଭାରତ ବନାମ ଇଣ୍ଡିଜ ଟି-୨୦: ଭାରତର ନଜର ଟି-୨୦ ବିଶ୍ଵ କପ ଉପରେ
Khabar Odisha:sports--cricket--odisha-india-vs-west-indies-t20-series-look-at-the-questions-which-team-india-facing-before-the-world-t20-in-australia
ହାଇଦ୍ରାବାଦ, ଡିସେମ୍ବର୦୫(ଖବର ଓଡ଼ିଶା):

 ଟି-୨୦ କ୍ରିକେଟରେ ଭାରତୀୟ ଦଳ ଟି-୨୦ ବିଶ୍ଵକପ୍ ଲାଗି ନିଜର ପ୍ରସ୍ତୁତିକୁ ନେଇ ରଣନୀତି ପ୍ରସ୍ତୁତ କରୁଛି। ଭାରତର ଲକ୍ଷ୍ୟ ଆଗାମୀ ବର୍ଷ ଅକ୍ଟୋବରରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ବିଶ୍ଵକପ୍ ଉପରେ ରହିଛି। ଏହି କ୍ରମରେ ଆସନ୍ତାକାଲିଠୁ ଭାରତ ଓ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଆରମ୍ଭ ହେବ। ବିଶ୍ଵ କପ୍ ପୂର୍ବରୁ ଭାରତ ପାଖରେ ୧୧ଟି ଟି-୨୦ ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ରହିଛି।  ତେଣୁ ଏହି ମ୍ୟାଚଗୁଡ଼ିକର ଦଳ ନିଜର ଦୁର୍ବଳତାକୁ ଦୂର କରି ଚୂଡ଼ାନ୍ତ ଦଳ ପ୍ରସ୍ତୁତ କରିବାକୁ ପଡ଼ିବ।

ଟି-୨୦ କ୍ରିକେଟରେ ଭାରତୀୟ ଦଳ ଲକ୍ଷ୍ୟର ପିଛା କରିବାକୁ ଅଧିକ ପସନ୍ଦ କରିଥାଏ। ୨୦୧୭ ଆରମ୍ଭରୁ ମହେନ୍ଦ୍ର ସିଂହ ଧୋନୀ ଯେବେ ଅଧିନାୟକ ପଦରୁ ଅବ୍ୟାହିତ ନେଲେ ତେବେଠୁ ଆଜି ପର୍ଯ୍ୟନ୍ତ ଭାରତୀୟ ଦଳ ଟି-୨୦ରେ ୪୫ଟି ମ୍ୟାଚ୍ ଖେଳିଛି। ଏଥିରୁ ଦଳ ୩୦ଟିରେ ଜିତି ଥିବା ବେଳେ ୧୪ଟିରେ ହାରିଛି। ଏହି ୧୪ଟି ପରାଜୟରୁ ଦଳକୁ ୧୦ଟି ତେବେ ମିଳିଛି, ଯେବେ ଦଳ ପ୍ରଥମେ ବ୍ୟାଟିଂ କରି ବିରୋଧୀ ଦଳକୁ ଲକ୍ଷ୍ୟ  ଦେଇଛି। ତେଣୁ ଏହି ଦିଗ ପ୍ରତି ଦଳକୁ ଧ୍ୟାନରେ ରଖିବାକୁ ପଡ଼ିବ ଯେ, ପ୍ରଥମେ ବ୍ୟାଟିଂ କରି ମଧ୍ୟ କେମିତି ବିରୋଧୀ ଦଳକୁ ହରାଇବାକୁ ପଡ଼ିବ। 

ଯଦି ଧାଓ୍ଵନ ନୁହଁ ତେବେ କିଏ ?

ଏଥିରେ କୌଣସି ସନ୍ଦେହ ନାହିଁ ଯେ ଦିନିକିଆ କ୍ରିକେଟରେ ଶିଖର ଧାଓ୍ଵନ ଓପନର ଭାବେ ଜଣେ ମ୍ୟାଚ୍ ବିଜେତା ଖେଳାଳି, ମାତ୍ର  ଟି-୨୦ ଫର୍ମାଟରେ ତାଙ୍କର ପ୍ରଦର୍ଶନ ଦେଖିଲେ ଏମିତି କୁହାଯାଇ ପାରିବ ନାହିଁ।  ବିଗତ କିଛି ମ୍ୟାଚରେ ତାଙ୍କୁ ରନ ଲାଗି ସଂଘର୍ଷ କରିବାକୁ ପଡ଼ିଛି। ପ୍ରାରମ୍ଭରେ ସେ ଅଧିକ ଡଟ୍ ବଲ ଖେଳୁଛନ୍ତି ଏବଂ ପରେ ଏହାକୁ ଭରଣା କରି ପାରୁନାହାନ୍ତି। ତାଙ୍କର ଖେଳ ରୋହିତ ଶର୍ମାଙ୍କ  ପରି ବିସ୍ଫୋରକ ନୁହଁ। ନା ତାଙ୍କ ପାଖରେ ବିରାଟ କୋହଲିଙ୍କ ପରି ଦୁଇ ରନ ଦୌଡ଼ିବାର ଫୁର୍ତ୍ତି ରହିଛି। ଏବେ ଆଘାତ କାରଣରୁ ଏହି ଶୃଙ୍ଖଳାରେ ସେ ଦଳରେ ନାହାନ୍ତି।  ତେଣୁ ଏମିତି ସ୍ଥିତିରେ କେଏଲ ରାହୁଲଙ୍କ ପାଖରେ ଏହି ସ୍ଥାନକୁ କବଜା କରିବାର ସୁବର୍ଣ୍ଣ ସୁଯୋଗ ରହିଛି। କର୍ଣ୍ଣାଟକର ଏହି ଖେଳାଳି ନିକଟରେ ସଂପନ୍ନ ସୟଦ ମୁସ୍ତାକ ଅଲି ଟି-୨୦ ଟ୍ରଫିରେ ଖୁବ୍ ରନ କରିଛନ୍ତି।

ଅଙ୍ଗୁଳି ସ୍ପିନର ନା ରିଷ୍ଟ ସ୍ପିନର

ଅଷ୍ଟ୍ରେଲିଆର ପରିବେଶ ଦୃଷ୍ଟିରୁ ସେଠାକାର ପିଚ୍ କଠିନ ରହିଥାଏ। ଏମିତି ପରିବେଶରେ ଆଙ୍ଗୁଠି ସ୍ପିନରଙ୍କ ସହିତ ଖେଳିବା ମୁସ୍କିଲ ହୋଇ ପାରେ। ଏହି କାରଣରୁ ବିରାଟଙ୍କ ନେତୃତ୍ଵାଧୀନ ଭାରତୀୟ ଦଳ ଧଳା ବଲ ଫର୍ମାଟରେ ରବୀନ୍ଦ୍ର ଜାଡ଼େଜା ଓ ରବିଚନ୍ଦ୍ରନ ଅଶ୍ଵିନଙ୍କ ସ୍ଥାନରେ ଚାଇନାମ୍ୟାନ କୁଲଦୀପ ଯାଦବ ଓ ଲେଗ୍ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଦଳରେ ସାମିଲ କରିଛି। ଏହି ପରିବର୍ତ୍ତନ ଦଳକୁ ମଧ୍ୟ ବେଶ ସଫଳତା ଦେଇଛି। ମାତ୍ର ଦଳର ବ୍ୟାଟିଂ ସନ୍ତୁଳନ ବିଗିଡ଼ୁଛି। ବିରାଟ କୋହଲି ଟି-୨୦ ଫର୍ମାଟରେ ଦଳର ବ୍ୟାଟିଂ ପ୍ରତି ଅଧିକ ଗୁରୁତ୍ଵାରୋପ କରୁଛନ୍ତି। ଏହି ଉଦ୍ଦେଶ୍ୟରେ ଦଳ କ୍ରୁଣାଲ ପାଣ୍ଡ୍ୟା ଓ ଓ୍ଵାଂଶିଟନ ସୁନ୍ଦରଙ୍କୁ ଦଳରେ ସାମିଲ କରିଛି। ସୁନ୍ଦର ପାଓ୍ଵାର ପ୍ଲେ ସମୟରେ ଭଲ ବୋଲିଂ କରୁଛନ୍ତି ଏବଂ କୃଣାଲ ପାଣ୍ଡ୍ୟା ଲମ୍ବା ଲମ୍ବା ସଟ୍ ଖେଳିବାରେ ସାମର୍ଥ୍ୟ ରଖନ୍ତି। ମାତ୍ର ପ୍ରଶ୍ନ ଉଠୁଛି ଯେ, କଣ ଏହି ଦୁଇ ଖେଳାଳି ଅଷ୍ଟ୍ରେଲିଆ ପିଚରେ ଗୋଟିଏ ମ୍ୟାଚରେ ୫ ଓ୍ଵିକେଟ୍ ନେବାରେ ସମର୍ଥ ହେବେ ?

୪ ନମ୍ବରରେ ବ୍ୟାଟିଂ କିଏ କରିବ

ଅନ୍ୟପଟେ ଭାରତୀୟ ଦଳରେ ୪ ନମ୍ବର ବ୍ୟାଟିଂ କ୍ରମକୁ ନେଇ ଏବେ ମଧ୍ୟ ସମସ୍ୟା ରହିଛି। ଅଦ୍ୟାବଧି ଏହି କ୍ରମରେ କୌଣସି ବ୍ୟାଟସମ୍ୟାନ ନିଜକୁ ସ୍ଥାପିତ କରି ପାରିନାହାନ୍ତି। ଯାହାର ପରିଣାମ ଦଳକୁ ଚଳିତ ବର୍ଷ ଇଂଲଣ୍ଡରେ ଖେଳାଯାଇଥିବା ବିଶ୍ଵ କପର ସେମି ଫାଇନାଲ ମ୍ୟାଚରେ ଭୋଗିବାକୁ ପଡ଼ିଛି। ଦଳରେ ଏହି କ୍ରମରେ ବ୍ୟାଟିଂ ପାଇଁ ମନୀଷ ପାଣ୍ଡେ, ଶ୍ରେୟସ ଆୟର ଓ ଋଷଭ ପନ୍ତଙ୍କ ପରି ଖେଳାଳିଙ୍କ ବିକଳ୍ପ ରହିଛି। ଏତେ ବିକଳ୍ପ ଦଳର ସଂଶୟକୁ ମଧ୍ୟ ବଢ଼ାଇପାରେ। ନିକଟରେ ବାଂଲାଦେଶ ବିପକ୍ଷ ମ୍ୟାଚରେ ଆୟର ଦମଦାର ପ୍ରଦର୍ଶନ କରିଥିଲେ। ପାଣ୍ଡେ ମଧ୍ୟ ବଡ଼ ସର୍ଟ ଖେଳିବା ସହିତ ମଧ୍ୟକ୍ରମ ବ୍ୟାଟିଂ ସମ୍ଭାଳିବାକୁ ମଧ୍ୟ ସାମର୍ଥ୍ୟ ରଖନ୍ତି। ଏଠାରେ ପନ୍ତଙ୍କୁ ନିଜର ସ୍ଥାନ କେମିତି ସୁରକ୍ଷିତ କରି ପାରୁଛନ୍ତି ତାହା ଦେଖିବା ବାକି ରହିଲା।

ବୁମରାଙ୍କ ସ୍ଥାନ ନେବେ କି ଚହର 

ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗ୍ସ ପକ୍ଷରୁ ଖେଳୁଥିବା ଦୀପକ ଚହରଙ୍କୁ ଧୋନୀ ପାଓ୍ଵାର ପ୍ଲେ ସମୟରେ ବ୍ୟବହାର କରନ୍ତି। ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଏହି ଖେଳାଳି ବାଂଲାଦେଶ ବିପକ୍ଷ ଶୃଙ୍ଖଳାରେ ନିଜର ବୋଲିଂ ନେଇ ସଭିଙ୍କୁ ପ୍ରଭାବିତ କରିଛନ୍ତି। ବାଂଲାଦେଶ ବିପକ୍ଷ ଗୋଟିଏ ମ୍ୟାଚରେ ସେ ୭ ରନ ଦେଇ ୬ ସଫଳତା ହାସଲ କରି ରେକର୍ଡ଼ କରିଛନ୍ତି। ଚହରଙ୍କ କହିବା କଥା ବୁମରାଙ୍କ ପରି ତାଙ୍କୁ ମଧ୍ୟ ଦଳରେ ବ୍ୟବହାର କରାଯିବ। କଣ ଇଣ୍ଡିଜ ବିପକ୍ଷ ଟି-୨୦ ଶୃଙ୍ଖଳାରେ ସେ ଏମିତି ପ୍ରଦର୍ଶନ କରିପାରିବେ।  ଅନ୍ୟପଟେ ଭାରତୀୟ ଦଳ ପାଖରେ  ବିଶ୍ଵ କପ୍ ମିଶନ ଲାଗି ମହମ୍ମଦ ସାମି, ଭୁବନେଶ୍ଵର କୁମାର ଓ ଯଶପ୍ରୀତ ବୁମରାଙ୍କ ପରି ବୋଲର ଅଛନ୍ତି। ମାତ୍ର ବୁମରା ସଂପ୍ରତି ଆଘାତଜନିତ ସମସ୍ୟା ଦେଇ ଗତି କରୁଛନ୍ତି। ତେଣୁ ଚହରଙ୍କୁ ବୁମରାଙ୍କ ବିକଳ୍ପ ରୂପେ ପ୍ରସ୍ତୁତ ରହିବାକୁ ପଡ଼ିବ।

Subscribe

National International State Sports Entertainment