ଭାରତୀୟ ବୋଲରଙ୍କ କରିସ୍ମା, ହ୍ୟାଟ୍ରିକ ସହିତ ୬ଟି ବଲରେ ନେଲେ ୫ ଓ୍ଵିକେଟ୍
Khabar Odisha:sports--cricket--odisha--abhimanyu-mithun-took-five-wickets-in-six-balls-in-syed-mushtaq-ali-trophy
ସୁରତ, ନଭେମ୍ବର୨୯(ଖବର ଓଡ଼ିଶା):

 କର୍ଣ୍ଣାଟକର ଦ୍ରୁତ ବୋଲର ଅଭିମନ୍ୟୁ ମିଥୁନ ସୈୟଦ ମୁସ୍ତାକ ଅଲି ଟ୍ରଫିରେ ଘାତକ ବୋଲିଂ କରି ହ୍ୟାଟ୍ରିକ ନେବା ସହ ୬ଟି ବଲରେ ୫ଟି ଓ୍ଵିକେଟ୍ ନେଇଛନ୍ତି। ହରିୟାଣା ବିପକ୍ଷ ସେମି ଫାଇନାଲ ମ୍ୟାଚରେ ସେ ଏହି କମାଲ କରି ଦେଖାଇଛନ୍ତି। ସେ ହିମାଂଶୁ ରାଣା, ରାହୁଲ ତେଓ୍ଵତିୟା, ସୁମିତ କୁମାର,  ଅମିତ୍ ମିଶ୍ର ଓ ଜୟନ୍ତ ଯାଦବଙ୍କୁ ନିଜର ଶିକାର କରିଛନ୍ତି।

ମିଥୁନ ହରିୟାଣା ଇନିଂସର ଶେଷ ଓଭର ବୋଲିଂ କରି ମାତ୍ର ୨ ରନ ଦେଇ ଏହି ସଫଳତା ହାସଲ କରିଛନ୍ତି। ଏଥିରେ ଏକ ରନ ଓ୍ଵାଇଡ଼ ଭାବେ ସାମିଲ।  ଓ୍ଵାଇଡ଼୍ ବଲ ପୂର୍ବରୁ ସେ କ୍ରମାଗତ ୪ଟି ବଲରେ ୪ ଓ୍ଵିକେଟ୍ ନେଇଥିଲେ। ୧୯ ଓଭର ସୁଦ୍ଧା ହରିୟାଣା ୩ ଓ୍ଵିକେଟ୍ ହରାଇ ୧୯୨ ରନ କରିଥିଲା। ମାତ୍ର ଶେଷ ଓଭରରେ ମିଥୁନ ବୋଲିଂ କରି ଦୁଇ ରନ ଦେଇ ୫ ଓ୍ଵିକେଟ୍ ନେଇଛନ୍ତି। ଚଳିତ ବର୍ଷ ଦ୍ଵିତୀୟ ଥର ହ୍ୟାଟ୍ରିକ ଓ୍ଵିକେଟ୍ ନେଇଛନ୍ତି ମିଥୁନ।

ମ୍ୟାଚରେ ମିଥୁନ ୩ ଓଭରରେ ୩୭ ରନ ଦେଇ କୌଣସି ଓ୍ଵିକେଟ୍ ନେଇନଥିଲେ। ମ୍ୟାଚର ଶେଷ ଓଭର ବୋଲିଂ କରିବାକୁ ଆସି ସେ କ୍ରିଜରେ ଜମି ରହିଥିବା ହିମାଂଶୁ ରାଣାଙ୍କୁ ମୟଙ୍କ ଅଗ୍ରଓ୍ଵାଲଙ୍କ ହାତରେ କ୍ୟାଚ୍ ଆଉଟ୍ କରାଇଥିଲେ। ରାଣା ୩୪ ବଲରୁ ୬୧ ରନ କରି ପାଭିଲିୟନ ଫେରିଥିଲେ।  ଦ୍ଵିତୀୟ ବଲରେ ମିଥୁନ ଆଇପିଏଲ ଷ୍ଟାର ରାହୁଲ ତେଓ୍ଵତିୟା(୩୨ ରନ, ୨୦ ବଲ)ଙ୍କୁ କରୁଣ ନାୟରଙ୍କ ହାତରେ କ୍ୟାଚ୍ କରାଇ ପାଭିଲିୟନ ପଠାଇଥିଲେ। ତୃତୀୟ ବଲରେ ସୁମିତ କୁମାର(୦)ଙ୍କୁ ଆଉଟ୍ କରି ହ୍ୟାଟ୍ରିକ ପୂରା କରିଥିଲେ। ଚତୁର୍ଥ ବଲରେ ଅଧିନାୟକ ଅମିତ୍ ମିଶ୍ରଙ୍କୁ ଆଉଟ୍ କରିଥିଲେ। ମିଶ୍ର ଖାତା ମଧ୍ୟ ଖୋଲି ପାରିନଥିଲେ। ଓଭରର ଶେଷ ବଲରେ ଜୟନ୍ତ ଯାଦବ ମିଥୁନଙ୍କ ପଞ୍ଚମ ଶିକାର ହୋଇଥିଲେ। ତାଙ୍କର କ୍ୟାଚ୍ କେଏଲ ରାହୁଲ ନେଇଥିଲେ। ଏହି ପରି ସେ ଲସିଥ ମାଲିଙ୍ଗାଙ୍କ ପରେ ଚାରୋଟି ବଲରେ ଚାରୋଟି ଓ୍ଵିକେଟ୍ ନେବାରେ ଦ୍ଵିତୀୟ ବୋଲର ହୋଇଛନ୍ତି।

ଏମିତି ଥିଲା ମ୍ୟାଚ୍

ଏହି ମ୍ୟାଚରେ ହରିୟାଣା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୮ ଓ୍ଵିକେଟ୍ ହରାଇ ୧୯୪ ରନ କରିଥିଲା। ଜବାବରେ କର୍ଣ୍ଣାଟକ ଦଳ ମାତ୍ର ୧୫ ଓଭରରେ ୨ ଓ୍ଵିକେଟ୍ ହରାଇ ୧୯୫ ରନ କରି ବିଜୟ ହାସଲ କରିଥିଲା। କର୍ଣ୍ନାଟକ ପକ୍ଷରୁ କେଏଲ ରାହୁଲ ୩୧ଟି ବଲରୁ ୪ ଚୌକା ଓ ୬ ଛକା ଜରିଆରେ ୬୬ ରନର ବିସ୍ଫୋରକ ପାଳି ଖେଳିଥିବା ବେଳେ ଦେବଦତ୍ତ ୪୨ ବଲରୁ ୮୭ ରନର ମ୍ୟାଚ୍ ବିଜୟୀ ବ୍ୟାଟିଂ କରିଥିଲେ। ସେ ୧୧ଟି ଚୌକା ଓ ୪ ଛକା ମାରିଥିଲେ। ସେହି ପରି ମୟଙ୍କ ଅଗ୍ରଓ୍ଵାଲ ୧୪ଟି ବଲରୁ ୩୦ ରନ କରି ଅପରାଜିତ ଥିଲେ। 

ଏହା ପୂର୍ବରୁ ଅଭିମନ୍ୟୁ ମିଥୁନ ନିଜର ୩୦ତମ ଜନ୍ମଦିନକୁ ସ୍ମରଣ କରି ଚଳିତ ବର୍ଷ ଅକ୍ଟୋବର ୨୫ରେ ବିଜୟ ହଜାରେ ଟ୍ରଫିର ଫାଇନାଲ ମୁକାବିଲାରେ ତାମିଲନାଡ଼ୁ ବିପକ୍ଷରେ ହ୍ୟାଟ୍ରିକ୍ ସହିତ ୫ ଓ୍ଵିକେଟ୍ ନେଇଥିଲେ। ତାଙ୍କର ଏହି ଦମଦାର ବୋଲିଂ ଦମରେ କର୍ଣ୍ଣାଟକ ବିଜୟ ହଜାରେ ଟ୍ରଫି ଚମ୍ପିଆନ ହୋଇଥିଲା। ମିଥୁନ ୩୪ ରନ ଦେଇ ୫ ସଫଳତା ପାଇଥିଲେ। ତାଙ୍କର ଏହି ଘାତକ ବୋଲିଂ କାରଣରୁ ତାମିଲନାଡ଼ୁ ୪୯.୫ ଓଭରରେ  ୨୫୨ ରନରେ ଅଲଆଉଟ୍ ହୋଇଥିଲା। ମିଥୁନ ୫୦ତମ ଓଭରର ତୃତୀୟ, ଚତୁର୍ଥ ଓ ପଞ୍ଚମ ବଲରେ କ୍ରମଶଃ ଶାହରୁଖ ଖାନ, ଏମ ମହମ୍ମଦ ଓ ମୁରଗନ ଅଶ୍ଵିନଙ୍କୁ ଆଉଟ୍ କରି  ହ୍ୟାଟ୍ରିକ ପୂରା କରିଥିଲେ।

Subscribe

National International State Sports Entertainment