ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜ ଜିତିବା ପରେ ବିସିସିଆଇ ଭାରତୀୟ ଦଳର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛି ଯେଉଁଥିରେ କୋଚ୍ ଭିଭିଏସ ଲକ୍ଷ୍ମଣ ରିଙ୍କୁ ସିଂଙ୍କୁ ସିରିଜର ଶ୍ରେଷ୍ଠ ଫିଲ୍ଡର ଭାବେ ଚୟନ କରିବା ସହ ପୁରସ୍କାର ପ୍ରଦାନ କରିଛନ୍ତି। ଭାରତ ଓ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିବା ଶେଷ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆ ୪୨ ରନରେ ଜିତିଥିଲା। ଏହି ମ୍ୟାଚରେ ବିଜୟ ପରେ କୋଚ୍ ଭିଭିଏସ ଲକ୍ଷ୍ମଣ ଡ୍ରେସିଂ ରୁମରେ ରିଙ୍କୁ ସିଂଙ୍କୁ ସିରିଜର ଶ୍ରେଷ୍ଠ ଫିଲ୍ଡର ଭାବେ ପୁରସ୍କାର ଦେଇଥିଲେ। ବିସିସିଆଇର ଭିଡିଓରେ ଫିଲ୍ଡିଂ କୋଚ୍ ଦିଲିପ ଡ୍ରେସିଂ ରୁମରେ ଭିଡିଓ କଲ ମାଧ୍ୟମରେ ଖେଳାଳିଙ୍କୁ ଏକ ବିଶେଷ ବାର୍ତ୍ତା ଦେଇଥିଲେ। ଯେତେବେଳେ ରିଙ୍କୁ ସିଂ ଫିଲ୍ଡର ଅଫ ଦ ସିରିଜ ପୁରସ୍କାର ଗ୍ରହଣ କଲେ, ସାଥୀ ଖେଳାଳି ରବି ବିଷ୍ଣୋଇ ଏହାକୁ ମୁହୂର୍ତ୍ତକୁ ଉପଭୋଗ କରୁଥିବା ଦେଖିବାକୁ ମିଳିଥିଲା । ରବି ବିଷ୍ଣୋଇ ରିଙ୍କୁଙ୍କ ସମ୍ମୁଖରେ ଏକ ପୋଡିୟମ ରଖି ତାଙ୍କୁ ଏହା ଉପରେ ଠିଆ ହୋଇ ଭାଷଣ ଦେବାକୁ କହିଥିଲେ।
ଏହି ସମୟରେ ରିଙ୍କୁ ସିଂ ପୋଡିୟମରେ ଠିଆ ହୋଇଥିଲେ ଏବଂ କହିଥିଲେ ଯେ ଏହା ହେଉଛି ଭଗବାନଙ୍କ ଇଚ୍ଛା। ମୁଁ ସମସ୍ତଙ୍କ ସହିତ ଖେଳି ମ୍ୟାଚକୁ ଉପଭୋଗ କଲି । ସେ କହିଥିଲେ ସତ କହିବାକୁ ଗଲେ ମୁଁ ବ୍ୟାଟିଂ ଅପେକ୍ଷା ଫିଲ୍ଡିଂ କରିବାକୁ ପସନ୍ଦ କରେ। ଜିମ୍ବାୱେ ବିପକ୍ଷ ଟି-୨୦ ସିରିଜରେ ରିଙ୍କୁ ସିଂ ୬୦ ରନ ସଂଗ୍ରହ କରିଥିଲେ। ସେ ପ୍ରଥମ ଟି-୨୦ ମ୍ୟାଚରେ ଖାତା ନଖୋଲି ଆଉଟ ହୋଇଥିଲେ। ଦ୍ୱିତୀୟ ଟି-୨୦ ରେ ସେ ୪ ନମ୍ବରରେ ବ୍ୟାଟିଂ କରୁଥିବାବେଳେ ୪୮ ରନର ଅପରାଜିତ ଇନିଂସ ଖେଳିଥିଲେ। ଚତୁର୍ଥ ଟି-୨୦ ରେ ବ୍ୟାଟିଂ କରିବାର ସୁଯୋଗ ପାଇ ନଥିଲେ ରିଙ୍କୁ। ପଞ୍ଚମ ଟି-୨୦ ରେ ରିଙ୍କୁ ସିଂ ୧୧ ରନର ଅପରାଜିତ ଇନିଂସ ଖେଳିଥିଲେ।