ପ୍ୟାରିସ: ଚଳିତ ପାରା ଅଲିମ୍ପିକ୍ସରେ ଭାରତ ସମସ୍ତ ରେକର୍ଡକୁ ଭାଙ୍ଗି ଆଗକୁ ବଢ଼ି ଚାଲିଛି । ପୁଣି ଥରେ ପ୍ୟାରିସରେ ଉଡ଼ିଛି ତ୍ରିରଙ୍ଗା । ଶୁକ୍ରବାର ଖେଳାଯାଇଥିବା ଇଭେଣ୍ଟରେ ଭାରତ ଖାତାରେ ପୁଣି ଏକ ସ୍ୱର୍ଣ୍ଣ ପଦକ ଲେଖା ହୋଇଛି । ଆଉ ଏହି ପଦକ ଦେଇଛନ୍ତି ପ୍ରବୀଣ କୁମାର । ଉଚ୍ଚ କୁଦ ବା ହାଇଜମ୍ପରେ ପ୍ରବୀଣ ବିଜୟୀ ଲାଭ କରି ଟୋକିଓ ପାରା ଅଲିମ୍ପିକ୍ସର ଆଉ ଏକ ରେକର୍ଡକୁ ପଛରେ ପକାଇଛନ୍ତି ।
ନୋଏଡ଼ା ବାସିନ୍ଦା ୨୧ ବର୍ଷୀୟ ପାରା ଆଥଲେଟ୍ ପ୍ରବୀଣ କୁମାର ହାଇ ଜମ୍ପରେ ଟି୬୪ ଇଭେଣ୍ଟରେ ଦେଶ ପାଇଁ ଷଷ୍ଠ ସ୍ୱର୍ଣ୍ଣ ପଦକ ଆଣିଛନ୍ତି । ସେ ୨.୦୬ ସ୍କୋର କରିଥିଲେ । ଆମେରିକାର ଡେରାକ ରୌପ୍ୟ ଜିତିଥିବାବେଳ ଉଜବେକିସ୍ତାନର ଜିୟାଜୋଭ୍ କାଂସ୍ୟ ପଦକରେ ସନ୍ତୁଷ୍ଟ ରହିଛନ୍ତି ।
ତେବେ ଆଜିର ମେଡାଲକୁ ଯୋଡ଼ିଲେ ଭାରତର ପଦକ ସଂଖ୍ୟା ୨୬ରେ ପହଁଚିଛି । ପ୍ୟାରିସ ଅଲିମ୍ପିକ୍ସରେ ଲଗାତର ଦ୍ୱିତୀୟଥର ପାଇଁ ଭାରତ ନିଜର ରେକର୍ଡ ଭଙ୍ଗିଛି । କାରଣ ଟୋକିଓରେ ୫ଟି ସ୍ୱର୍ଣ୍ଣ ଜିତିଥିବାବେଳେ ପ୍ୟାରିସରେ ଏଯାବତ ୬ଟି ସ୍ୱର୍ଣ୍ଣ ଆସିଛି । ଏହା ପୂର୍ବରୁ ମଧ୍ୟ ଟୋକିଓର ୧୯ଟି ପଦକ ରେକର୍ଡ ଭାଙ୍ଗି ସାରିଛି । ଇଣ୍ଡିଆକୁ ଏ ଯାଏଁ ୬ଟି ସ୍ୱର୍ଣ୍ଣ, ୯ଟି ରୌପ୍ୟ ଓ ୧୧ଟି କାଂସ୍ୟ ପଦକ ମିଳିଛି ଏବଂ ପଦକ ତାଲିକାରେ ୧୪ତମ ସ୍ଥାନ ଅଧିକାର କରିଛି ।