ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଆଇପିଏଲର ୧୫ ତମ ମ୍ୟାଚରେ ବେଙ୍ଗାଲୁରୁକୁ ହରାଇ ବାଜି ମାରିଛି ଲକ୍ଷ୍ନୌ । ୧୮୨ ରନର ଲକ୍ଷ୍ୟକୁ ପିଛା କରି ବେଙ୍ଗାଲୁରୁ ୧୫୩ ରନରେ ଅଲ ଆଉଟ ହୋଇଛି । ମ୍ୟାଚରେ ଚମତ୍କାର ବୋଲିଂର ପ୍ରଦର୍ଶନ କରିଥିବା ମୟଙ୍କ ଯାଦବଙ୍କୁ ଶ୍ରେଷ୍ଠ ଖେଳାଳି ରୂପେ ଚୟନ କରାଯାଇଛି । ବିଜୟ ସହ ଲକ୍ଷ୍ନୌ ପଏଣ୍ଟସ ଟେବୁଲର ଚତୁର୍ଥ ସ୍ଥାନରେ ପହଞ୍ଚିଛି ।
ଟସ ଜିତି ବୋଲିଂର ନିଷ୍ପତି ନେଇଥିଲେ ଫାଫ ଡୁ ପ୍ଲେସିସ । ଲକ୍ଷ୍ନୌ ପକ୍ଷରୁ ବ୍ୟାଟିଂ କରିବାକୁ ଆସିଥିବା କେଏଲ ରାହୁଲ ଏବଂ କୁଇଂଟନ ଡିକକ୍ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ରାହୁଲ ୧୪ ବଲରେ ୨୦ ରନ କରି ୱିକେଟ୍ ହରାଇଥିଲାବେଳେ ଡିକକ୍ ୫୬ ବଲରେ ୮୧ ରନ କରିଥିଲେ । ଷ୍ଟୋଇନିସ ୧୫ ବଲରେ ୨୪ କରିଥିଲାବେଳେ ପାଡ଼ିକ୍କଲ ୧୧ ବଲରେ ୬ ରନ କରିଥିଲେ । ଶେଷରେ ବ୍ୟାଟିଂ କରିବାକୁ ଆସିଥିବା ନିକୋଲାସ ପୁରନ ବିସ୍ଫୋଟକ ଅନ୍ଦାଜରେ ବ୍ୟାଟିଂ କରିବା ସହ ୨୧ ବଲରେ ୪୦ ରନ ସଂଗ୍ରହ କରିଥିଲେ ଯେଉଁଥିରେ ଗୋଟିଏ ଚୌକ ଏବଂ ୫ଟି ଛକ୍କା ସାମିଲ ଥିଲା । ଏହା ସହ ଦଳୀୟ ସ୍କୋର ୧୮୧ ରେ ପହଞ୍ଚିଥିଲା । ମ୍ୟାକ୍ସୱେଲ ୨ଟି ୱିକେଟ୍ ନେଇଥିଲାବେଳେ, ଶିରାଜ, ୟଶ ଦୟାଲ ଓ ଟପଲି ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଦ୍ଵିତୀୟ ଇନିଂସରେ ମୟଙ୍କ ଯାଦବଙ୍କ ପେସ ବୋଲିଂ ସାମ୍ନାରେ ବେଙ୍ଗାଲୁରୁର ବ୍ୟାଟ୍ସମ୍ୟାନ ମାନେ ଧରାଶାୟୀ ହୋଇପଡିଥିଲେ । ମୟଙ୍କ ଯାଦବ ଲଗାତାର ଦ୍ରୁତ ଗତିରେ ବୋଲିଂ କରିବା ସହ ୪ ଓଭର ବୋଲିଂ କରି ୧୪ ରନ ଦେଇ ୩ ଟି ୱିକେଟ୍ ନେଇଥିଲେ । ନବୀନ-ଉଲ-ହକ ୨ଟି, ଏମ ସିଦ୍ଧାର୍ଥ, ମାର୍କସ ଷ୍ଟୋଇନିସ ଓ ୟଶ ଠାକୁର ଗୋଇ ଲେଖାଏଁ ୱିକେଟ୍ ନେଇଥିଲେ । ମୟଙ୍କ ଡଗରଙ୍କୁ ରନ ଆଉଟ କରିଥିଲେ ନିକୋଲାସ ପୁରନ । ବେଙ୍ଗାଲୁରୁ ପକ୍ଷରୁ ବିରାଟ କୋହଲି ୨୨, ଡୁ ପ୍ଲେସିସ ୧୯, ପାଟିଦାର ୨୯, ଗ୍ରୀନ ୯, ଅନୁଜ ରାବତ ୩୩, କାର୍ତିକ ୪, ଟପଲି ୩, ଶିରାଜ ୧୨ ରନ ସ୍କୋର କରିଥିଲେ ।
ଅଧିକ ପଢନ୍ତୁ : ପ୍ରଥମ ବିଜୟ ହାସଲ କରିବାରେ ଅସଫଳ ମୁମ୍ବାଇ ଇଂଡିଆନ୍ସ