ମହିଳା ପ୍ରିମିୟର ଲିଗର ପ୍ରଥମ ମ୍ୟାଚରେ ରୋମାଞ୍ଚକର ଅନ୍ତ ଘଟିଛି । ଶେଷ ବଲରେ ଛକ୍କା ମାରି ମ୍ୟାଚ ଜିତାଇଛନ୍ତି ଏସ ସଜନା । ବେଙ୍ଗାଲୁରୁରେ ଶୁକ୍ରବାର ଶେଷ ହୋଇଥିବା ମହିଳା ପ୍ରିମିୟର ଲିଗର ପ୍ରଥମ ମ୍ୟାଚରେ ମୁମ୍ବାଇ ଇଂଡିଆନ୍ସର ମହିଳା ଦଳ ଦିଲ୍ଲୀ କ୍ୟାପିଟାଲ୍ସର ମହିଳା ଦଳକୁ ପରାସ୍ତ କରିଛି । ମୁମ୍ବାଇ ଇଂଡିଆନ୍ସର ଅଧିନାୟକ ହର୍ମନପ୍ରୀତ କୌରଙ୍କୁ ଶ୍ରେଷ୍ଠ ଖେଳାଳି ରୂପେ ଚୟନ କରାଯାଇଛି ।
ମହିଳା ପ୍ରିମିୟର ଲିଗର ଦ୍ଵିତୀୟ ସଂସ୍କରଣ ଆରମ୍ଭ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ମୁମ୍ବାଇ ଇଂଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ସଂଘର୍ଷପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିଥିଲା । ମୁମ୍ବାଇ ଇଂଡିଆନ୍ସ ଟସ ଜିତି ବୋଲିଂର ନିର୍ଣ୍ଣୟ ନେଇଥିବାବେଳେ ଦିଲ୍ଲୀ ପ୍ରଥମ ବ୍ୟାଟିଂ କରି ୨୦ ଓଭରରେ ୧୭୧ ରନ ସଂଗ୍ରହ କରିଥିଲା । ଦିଲ୍ଲୀ ପକ୍ଷରୁ ଆଲିସ କ୍ୟାପସି ସର୍ବାଧିକ ୭୫ ରନ କରିଥିବାବେଳେ ଜେମିମା ରୋଡ୍ରିଗ୍ସ ୪୨ ରନ ସଂଗ୍ରହ କରିଥିଲେ । ଦିଲ୍ଲୀର ଅଧିନାୟକ ମାଗ ଲେନ୍ନିଙ୍ଗ ୨୫ ବଲରେ ୩୧ ରନ ସଂଗ୍ରହ କରିଥିଲେ । ମୁମ୍ବାଇ ପକ୍ଷରୁ ନାଟ୍ ସ୍କିଭର୍-ବ୍ରଣ୍ଟ୍ ଓ ଆମେଲୀଆ କେର ୨ଟି ଲେଖାଏଁ ୱିକେଟ୍ ନେଇଥିଲାବେଳେ ସବନିମ ଇସ୍ମାଇଲ ଗୋଟିଏ ୱିକେଟ୍ ନେଇଥିଲେ ।
ଦ୍ଵିତୀୟ ଇନିଂସରେ ମୁମ୍ବାଇର ବ୍ୟାଟିଂରେ ୟସ୍ତିକା ଭାଟିଆ ୪୫ ବଲରେ ୫୭ ରନ ସଂଗ୍ରହ କରିଥିଲେ ଓ ହର୍ମନପ୍ରୀତ କୌର ୩୪ ବଲରେ ୫୫ ରନ ସଂଗ୍ରହ କରିଥିଲେ । ମ୍ୟାଚର ଶେଷ ଓଭରରେ ଅନେକ ରୋମାଞ୍ଚକର ମୋଡ ଦେଖିବାକୁ ମିଳିଥିଲା । ଶେଷ ୨ଟି ବଲରେ ୫ ରନ ଆବଶ୍ୟକ ଥିବାବେଳେ ହର୍ମନପ୍ରୀତ କୌର ନିଜ ୱିକେଟ୍ ହରାଇଥିଲେ । ଶେଷ ବଲରେ ବ୍ୟାଟିଂ କରିବାକୁ ଆସିଥିବା ଡେବ୍ୟୁଟାଣ୍ଟ ଏସ ସଜନା ଛକ୍କା ମାରି ଉଦଘାଟନୀ ମ୍ୟାଚରେ ବିଜୟ ହାସଲ କରିଥିଲେ ।
ଆଜି ମହିଳା ପ୍ରିମିୟର ଲିଗର ଦ୍ଵିତୀୟ ମ୍ୟାଚ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର ଓ ୟୁପି ୱାରିଆରସ ମଧ୍ୟରେ ବାଙ୍ଗାଲୋରରେ ଖେଳାଯିବ । ଏହି ମ୍ୟାଚ ୭.୩୦ ରେ ଆରମ୍ଭ ହେବାକୁ ଥିବାବେଳେ ଏହି ମ୍ୟାଚକୁ ସ୍ପୋର୍ଟ୍ସ ୧୮ ଏବଂ ଜିଓ ସିନେମାରେ ପ୍ରସାରଣ କରାଯିବ ।
ଅଧିକ ପଢନ୍ତୁ : ରାଞ୍ଚି ଟେଷ୍ଟ ପାଇଁ ପ୍ରସ୍ତୁତ ଭାରତୀୟ ଦଳ