ମୁମ୍ବାଇ: ଆଉ କିଛିଟା ଦିନ ପରେ ଦେଶରେ ଆରମ୍ଭ ହୋଇଯିବ ଆଇପିଏଲ୍ ମହାପର୍ବ । ଯାହାକୁ ସମସ୍ତ କ୍ରିକେଟ୍ ପ୍ରେମୀ ଚାତକ ପରି ଚାହିଁ ବସିଛନ୍ତି । ମାର୍ଚ୍ଚ ୨୨ ତାରିଖରେ ଖେଳାଯିବ ପ୍ରଥମ ମ୍ୟାଚ୍ । କୋଲକାତାର ଇଡେନ୍ ଗାର୍ଡେନ୍ କ୍ରିକେଟ୍ ଷ୍ଟାଡିୟମରେ କୋଲକାତା ନାଇଟ୍ ରାଇଡର୍ସ ଏବଂ ଆରସିବି ମଧ୍ୟରେ ହେବ ପ୍ରଥମ ମୁକାବିଲା । ମାତ୍ର ଗୋଟିଏ ମ୍ୟାଚ୍ ପାଇଁ ଅଡ଼ୁଆରେ ପଡ଼ିଛି ।
ଆଇପିଏଲ୍-୨୦୨୫ ସିଜିନ୍ ପାଇଁ ବିସିସିଆଇ ପକ୍ଷରୁ ସମସ୍ତ କାର୍ଯ୍ୟସୂଚୀ ସ୍ଥିରୀକୃତ ହୋଇସାରିଛି । ଅପ୍ରେଲ୍ ୬ ତାରିଖରେ ହେବାକୁ ଥିବା ମ୍ୟାଚ୍ ପାଇଁ ବିସିସିଆଇର ଚିନ୍ତା ବଢ଼ି ଯାଇଛି । ଅପ୍ରେଲ୍ 6ରେ ଇଡେନ୍ ଗାର୍ଡେନ୍ ରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳାଯିବ । କେକେଆର୍ ଏବଂ ଏଲଏସଜି ମଧ୍ୟରେ ଏହି ମୁକାବିଲା ଅନୁଷ୍ଠିତ ହେବ । କିନ୍ତୁ ସେହିଦିନ ରାମନବମୀ ପଡ଼ୁଥିବାରୁ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି । କ୍ରିକେଟ୍ ଆସୋସିଏସନ୍ ଅଫ୍ ବେଙ୍ଗଲ୍ (ସିଏବି) ମ୍ୟାଚ୍ ତାରିଖରେ ପରିବର୍ତ୍ତନ କରିବାକୁ ବିସିସିଆଇକୁ ନିବେଦନ କରିଛି । ରାମନବମୀ ଯୋଗୁଁ ପୋଲିସ ପ୍ରଶାସନ ପର୍ଯ୍ୟାପ୍ତ ପରିମାଣରେ ସୁରକ୍ଷା ଯୋଗାଇ ପାରିବ ନାହିଁ ବୋଲି କହିଛି । ସିଏବି ସଭାପତି ସ୍ନେହାଶିଷ ଗାଙ୍ଗୁଲି ଏହି ବିଷୟରେ ପୋଲିସ ଏବଂ ଅନ୍ୟାନ୍ୟ ଅଧିକାରୀଙ୍କ ସହ ଆଲୋଚନା । ରାମନବମୀରେ ବିଭିନ୍ନ ସ୍ଥାନରେ ଭିଡ଼ ରହିବାରୁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ସମ୍ଭବ ହେବ ନାହିଁ ବୋଲି ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି । ତଥାପି ଏହି ସମ୍ପର୍କରେ ଖୁବ୍ ଶୀଘ୍ର ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ସିଏବି ସଭାପତି ଆଶା ରଖିଛନ୍ତି ।
ବିସିସିଆଇ ପକ୍ଷରୁ ଏହା ନିଶ୍ଚିତ କରାଯାଇଛି ଯେ ସିଏବି ଏ ସଂକ୍ରାନ୍ତରେ ଅବଗତ କରିଛି ଏବଂ ସମସ୍ତ ସମ୍ଭାବନା ଉପରେ ବିଚାର କରାଯାଉଛି। ଖୁବ୍ ଶୀଘ୍ର କିଛି ସମାଧାନର ରାସ୍ତା ମିଳିଯିବ । ଆପଣଙ୍କୁ କହି ରଖୁଛୁ ଯେ ଗତ ବର୍ଷ ମଧ୍ୟ ରାମନବମୀ ଦିନ କୋଲକାତାରେ ଏକ ମ୍ୟାଚ୍ ସ୍ଥିର କରାଯାଇଥିଲା, କିନ୍ତୁ ପରେ ଏହାକୁ ମଧ୍ୟ ପରିବର୍ତ୍ତନ କରାଯାଇଥିଲା।