ଭାରତ ଓ ଜିମ୍ବାୱେ ବିପକ୍ଷରେ ଖେଳାଯାଉଥିବା ଟି-୨୦ ସିରିଜର ତୃତୀୟ ମ୍ୟାଚରେ ଭାରତ ୨୩ ରନରେ ବିଜୟ ହାସଲ କରିଛି । ଏହାସହ ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ୨-୧ ରେ ଆଗୁଆ ରହିଛି ଭାରତ । ଶୁଭମନ ଗିଲଙ୍କ ନେତୃତ୍ୱରେ ଦଳ ଚମତ୍କାର ପ୍ରଦର୍ଶନ କରିବା ସହ ଆଉ ଏକ ସହଜ ବିଜୟ ହାସଲ କରିଛି । ହରାରେ ସ୍ପୋର୍ଟ୍ସ କ୍ଲବରେ ୧୮୩ ରନର ଲକ୍ଷ୍ୟକୁ ପିଛା କରିବାରେ ଅସଫଳ ରହିଛି ଜିମ୍ବାୱେ ।
ଟସ୍ ଜିତି ବ୍ୟାଟିଂର ନିଷ୍ପତି ନେଇଥିଲେ ଭାରତୀୟ ଅଧିନାୟକ ଶୁଭମନ ଗିଲ । ଶୁଭମନ ଗିଲ ଓ ୟଶସ୍ଵୀ ଜେସୱାଲଙ୍କ ମଧ୍ୟ ଏକ ଅର୍ଦ୍ଧଶତକୀୟ ଭାଗିଦାରୀତା ଦେଖିବାକୁ ମିଳିଥିଲା । ୨୭ ବଲରେ ୩୬ ରନ କରି ୱିକେଟ୍ ହରାଇଥିଲେ ୟଶସ୍ଵୀ ଜେସୱାଲ । ପୂର୍ବ ମ୍ୟାଚରେ ଶତକ ହାସଲ କରିଥିବା ଅଭିଷେକ ଶର୍ମା ମାତ୍ର ୧୦ ରନରେ ନିଜ ୱିକେଟ୍ ହରାଇଥିଲେ । ପରେ ଶୁଭମନ ଗିଲ ଓ ଋତୁରାଜ ଗାଇକୱାଡ ଇନିଂସକୁ ଆଗକୁ ନେଇଥିଲେ । ଋତୁରାଜ ୨୮ ବଲରେ ୪୯ ରନ କରିଥିବାବେଳେ ଗିଲ ୪୯ ବଲରେ ୬୬ ରନ ସଂଗ୍ରହ କରିଥିଲେ । ଶେଷରେ ସଞ୍ଜୁ ସାମସନଙ୍କ ଦୁଇଟି ଚୌକା ବଳରେ ଭାରତର ଦଳୀୟ ସ୍କୋର ୧୮୨ ରେ ପହଞ୍ଚିଥିଲା ।
ଦ୍ଵିତୀୟ ଇନିଂସରେ ଡିଅନ ମାୟାର୍ସ ସର୍ବାଧିକ ୬୫ ରନ କରିଥିବାବେଳେ କ୍ଲିଭ ମଦାଣ୍ଡେ ୩୭ ରନ ସଂଗ୍ରହ କରିଥିଲେ । ୱାସିଂଟନ ସୁନ୍ଦର ୩ ଟି ୱିକେଟ୍ ହାସଲ କରିଥିବାବେଳେ ଆଭେଷ ଖାନ ୨ ଟି ଓ ଖଲିଲ ଏହମଦ ଗୋଟିଏ ୱିକେଟ୍ ନେଇଥିଲେ । ତେବେ ପ୍ରଥମ ଇନିଂସରେ ଜିମ୍ବାୱେ ପକ୍ଷରୁ ସିକନ୍ଦର ରାଜା ଓ ମୁଜରବାନି ଗୋଟିଏ ୱିକେଟ୍ ନେଇଥିଲେ । ଚମତ୍କାରୀ ବୋଲିଂ ପ୍ରଦର୍ଶନ ଯୋଗୁ ୱାସିଂଟନ ସୁନ୍ଦରଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଭାବେ ଚୟନ କରାଯାଇଥିଲା ।
ଅଧିକ ପଢନ୍ତୁ : ଅଭିଷେକ ନାୟର ଓ ବିନୟ କୁମାର ହୋଇପାରନ୍ତି ଭାରତୀୟ ଦଳର ବ୍ୟାଟିଂ ଓ ବୋଲିଂ କୋଚ୍ !