ନଭି ମୁମ୍ବାଇ: ଦୀର୍ଘ ୫୨ ବର୍ଷ ଅପେକ୍ଷାର ଅନ୍ତ ଘଟିଛି । ପ୍ରଥମ ଥର ମହିଳା ବିଶ୍ୱକପ୍ ଟ୍ରଫି ଜିତିଛି ଟିମ୍ ଇଣ୍ଡିଆ । ୨୦୨୫ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇ ଚାମ୍ପିଅନ ହୋଇଛି ଭାରତ । ଏହା ସହ ମହିଳା କ୍ରିକେଟ୍ ଜଗତକୁ ମିଳିଛି ନୂଆ ବିଜେତା । ଫାଇନାଲ୍ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ କରିଥିଲା ୨୯୮ ରନ । ଜବାବରେ ଦକ୍ଷିଣ ଆଫ୍ରିକା ୪୫.୩ ଓଭରରେ ୨୪୬ ରନରେ ଅଲଆଉଟ୍ ହୋଇଛି । ଭାରତ ଟ୍ରଫି ଜିତିବା ସହ ଅଧିନାୟକ ହରମନପ୍ରୀତ କୌର ଭାରତର ପୂର୍ବତନ ଅଧିନାୟକ କପିଲ ଦେବ ଓ ମହେନ୍ଦ୍ର ସିଂ ଧୋନୀଙ୍କ କ୍ଲବରେ ସାମିଲ ହୋଇଛନ୍ତି । କାରଣ ଦୁଇ ଅଧିନାୟକଙ୍କ ନେତୃତ୍ୱରେ ଭାରତୀୟ ପୁରୁଷ ଦଳ ଟ୍ରଫି ଜିତିଥିଲା । ଆଉ ଏବେ ହରମନପ୍ରୀତ ଭାରତୀୟ ମହିଳା ଦଳକୁ ବିଶ୍ୱ ଚାମ୍ପିଅନ କରାଇଛନ୍ତି ।
ମହିଳା ବିଶ୍ୱକପ ୧୯୭୩ରେ ଆରମ୍ଭ ହୋଇଥିଲା । ମାତ୍ର ଭାରତୀୟ ଦଳ ଏ ପର୍ଯ୍ୟନ୍ତ ଟ୍ରଫି ଜିତି ପାରି ନ ଥିଲା । ଶେଷରେ ହରମପ୍ରୀତ କୌରଙ୍କ ନେତୃତ୍ୱରେ ଦଳ ଇତିହାସ ରଚିଛି । ଟିମ୍ ଇଣ୍ଡିଆ ପୂର୍ବରୁ ୨୦୦୫ ଏବଂ ୨୦୧୭ରେ ଫାଇନାଲ୍ ଖେଳିଥିଲେ ହେଁ ରନର୍ସଅପରେ ସନ୍ତୁଷ୍ଟ ହେବାକୁ ପଡିଥିଲା । କିନ୍ତୁ ୨୦୨୫ରେ ଭାରତୀୟ ମହିଳା କ୍ରିକେଟ୍ ଦଳ ଇତିହାସରେ ନୂଆ ଅଧ୍ୟାୟ ଲେଖିଛି ।
୨୯୯ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ଦକ୍ଷିଣ ଆଫ୍ରିକାର ଆରମ୍ଭ ଭଲ ଥିଲା । ଓପନିଂରେ ୫୧ ରନ ଯୋଡିଥିଲେ ଓପନର । ତେବେ ତଜମିନ ବ୍ରିଟ୍ସ(୨୩ ରନ)ଙ୍କୁ ରନ ଆଉଟ୍ କରି ଅମନଜତ କୌର ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ୧୦ ଓଭର ପରେ ଦକ୍ଷିଣ ଆଫ୍ରିକାର ସ୍କୋର ଥିଲା ୫୧ ରନରେ ଏକ ୱିକେଟ୍ । ୬୨ ରନ ସ୍କୋରରେ ଶ୍ରୀଚରଣୀ ଦ. ଆଫ୍ରିକାକୁ ଦ୍ୱିତୀୟ ଝଟକା ଦେଇଥିଲେ । ଅନେକେ ବଶ ଖାତା ଖୋଲି ପାରି ନ ଥିଲେ । ୧୮ ଓଭରରେ ଆଫ୍ରିକା ୧୦୦ ଅତିକ୍ରମ କରିଥିଲା । ମାତ୍ର ୧୧୪ ରନ ସ୍କୋରରେ ଶେଫାଳି ଭାଗିଦାରୀ ଭାଙ୍ଗି ଲୁସଙ୍କୁ ପାଭିଲିୟନ ପଠାଇଥିଲେ । ଲୁସ ୨୫ ରନ କରିଥିଲେ ହେଁ ବଡ ଇନିଂସ ଖେଳି ପାରି ନ ଥିଲେ । ୨୩ତମ ଓଭରରେ ଶେଫାଳି ପୁଣି ମାରିଜାନ(୪ ରନ)ଙ୍କୁ ଆଉଟ୍ କରି ଭାରତକୁ ବଡ ସଫଳତା ଦେଇଥିଲେ ଏବଂ ଭାରତର ସ୍ଥିତି ମଜବୁତ କରିଥିଲେ । ଅନ୍ୟପଟେ ଅଧିନାୟକ ଲୌରା କ୍ରିଜରେ ଅନ୍ୟ ପାଶ୍ୱର୍ରେ ଇନିଂସ ସମ୍ଭାଳିଥିଲେ ।
୩୦ତମ ଓଭରରେ ଦୀପ୍ତି ଶର୍ମା ଦକ୍ଷିଣ ଆଫ୍ରିକାକୁ ପଞ୍ଚମ ଝଟକା ଦେଇଥିଲେ । ଜାଫଟା ୧୬ ରନ କରି ଆଉଟ୍ ହୋଇଥିଲେ । ଏଥିସହ ୧୪୮ ରନ ଭିତରେ ଦକ୍ଷିଣ ଆଫ୍ରିକା ୫ ବ୍ୟାଟରଙ୍କୁ ହରାଇଥିଲା । ଏହା ପରେ ୪୦ତମ ଓଭରରେ ଦକ୍ଷିଣ ଆଫ୍ରିକାକୁ ବଡ ଝଟକା ଦେଇଥିଲେ ଦୀପ୍ତି ଶର୍ମା । ଏନେରୀ ଡର୍କସନ ୩୫ ରନ କରି ଆଉଟ୍ ହୋଇଥିଲେ । ତେବେ ଭାରତକୁ ସବୁଠୁ ବଡ ସଫଳତା ମିଳିଥିଲା ୪୨ତମ ଓଭରରେ । ଶତକୀୟ ଇନିଂସ ଖେଳିଥିବା ଅଧିନାୟକ ଲୌରାଙ୍କୁ ଆଉଟ୍ କରିଥିଲେ ଦୀପ୍ତି । ଲୌରା ୧୦୧ ରନ କରି ପାଭିଲିୟନ ଫେରିଥିଲେ । ସେହି ଓଭରରେ କ୍ଲୋଏ ଟ୍ରାୟୋନଙ୍କୁ ପାଭିଲିୟନ ପଠାଇ ଭାରତକୁ ବିଜୟ ସୁନିଶ୍ଚିତ କରିଥିଲେ ଦୀପ୍ତି । ଏହା ସହ ଦକ୍ଷିଣ ଆଫ୍ରିକା ୨୪୬ ରନରେ ଅଲଆଉଟ୍ ହୋଇଥିଲ।। ଏହି ମ୍ୟାଚରେ ଦୀପ୍ତି ଶର୍ମା ୫ ୱିକେଟ୍ ନେଇ ଭାରତ ବିଜୟରେ ହିରୋ ସାଜିଥିଲେ । ବ୍ୟାଟିଂରେ ବି ସେ ୫୮ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ ।
ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଶେଫାଲି ବର୍ମା ଏବଂ ସ୍ମୃତି ମନ୍ଧାନାଙ୍କ ସହ ଭଲ ଆରମ୍ଭ କରିଥିଲା। ଉଭୟ ୧୦୪ ରନର ଓପନିଂ ପାର୍ଟନରସିପ୍ କରିଥିଲେ। ସ୍ମୃତି ୫୮ ବଲରୁ ୪୫ ରନ କରିଥିଲେ। ଏହି ମ୍ୟାଚରେ ଶେଫାଲି ବର୍ମାଙ୍କ ପାଖରେ ଶତକ ହାସଲ କରିବାର ସୁଯୋଗ ଥିଲା, କିନ୍ତୁ ସେ ଏହାକୁ ହାତଛଡ଼ା କରିଥିଲେ। ସେ ୭୮ ବଲରୁ ୭ ଚୌକା ଏବଂ ଦୁଇଟି ଛକା ମାରି ୮୭ ରନ କରିଥିଲେ। ସେମିଫାଇନାଲ ମ୍ୟାଚରେ ଶତକ ହାସଲ କରିଥିବା ଜେମିମା ୩୭ ବଲରୁ କେବଳ ୨୪ ରନ କରିପାରିଥିଲେ। ଅଧିନାୟିକା ହରମନପ୍ରୀତ କୌର ୨୯ ବଲରୁ ୨୦ ରନ କରିବା ପରେ କ୍ଲିନ୍ ବୋଲ୍ଡ ହୋଇଥିଲେ। ଅମନଜୋତ ୧୪ ବଲରୁ ୧୨ ରନ କରିଥିଲେ। ରିଚା ଘୋଷ ୩୪ ରନ କରିଥିଲେ। ଦୀପ୍ତି ଶର୍ମା ୫୮ ରନ କରି ରନ ଆଉଟ ହୋଇଥିଲେ। ଆଉ ଭାରତ ୨୯୮ ରନର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଆଇବୋଙ୍ଗା ଖାକା ତିନୋଟି ୱିକେଟ ନେଇଥିଲେ।