ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଦିନିକିଆ ମ୍ୟାଚରେ ଭାରତ ବଡ ବିଜୟ ହାସଲ କରିଛି । ଭାରତୀୟ ମହିଳା ଦଳ ଦକ୍ଷିଣ ଆଫ୍ରିକାକୁ ୧୪୩ ରନରେ ପରାସ୍ତ କରିଛି । ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାଙ୍ଗାଲୋରରେ ଖେଳାଯାଉଥିବା ଏହି ମ୍ୟାଚରେ ସ୍ମୃତି ମନ୍ଧାନା ଚମତ୍କାର ବ୍ୟାଟିଂର ପ୍ରଦର୍ଶନ କରି ଶତକ ହାସଲ କରିବା ସହ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ବିବେଚିତ ହୋଇଥିଲେ । ଭାରତୀୟ ବୋଲିଂ ପକ୍ଷରୁ ଆଶା ଶୋଭନା ଡେବ୍ୟୁ କରିଥିବାବେଳେ ସର୍ବାଧିକ ୪ ଟି ୱିକେଟ୍ ନେଇଥିଲେ ।
ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ହର୍ମନପ୍ରୀତ କୌର । ୨୧.୫ ଓଭର ସୁଦ୍ଧା ଭାରତ ୯୯ ରନରେ ୫ ଟି ୱିକେଟ୍ ହରାଇଥିଲା । ଏହା ପରେ ସ୍ମୃତି ମନ୍ଧାନା ଓ ଦୀପ୍ତି ଶର୍ମାଙ୍କ ମଧ୍ୟରେ ୯୨ ବଲରେ ୮୧ ରନର ସହଭାଗିତା ହୋଇଥିଲା । ସ୍ମୃତି ମନ୍ଧାନା ୧୨୭ ବଲରେ ୧୧୭ ରନ ସଂଗ୍ରହ କରିଥିଲେ ଓ ଦୀପ୍ତି ଶର୍ମା ୪୮ ବଲରେ ୩୭ ରନ ସଂଗ୍ରହ କରିଥିଲେ । ପରେ ପୂଜା ବସ୍ତ୍ରକାର ୪୨ ବଲରେ ୩୧ ରନ ସଂଗ୍ରହ କରିଥିଲେ । ଏହା ସହ ଭାରତ ୫୦ ଓଭରରେ ୨୬୫ ରନ ସଂଗ୍ରହ କରିଥିଲା । ଦ୍ଵିତୀୟ ଇନିଂସରେ ଭାରତୀୟ ବୋଲର ନିୟମିତ ବ୍ୟବଧାନରେ ୱିକେଟ୍ ନେବା ସହ ଦକ୍ଷିଣ ଆଫ୍ରିକାକୁ ୧୨୨ ରନରେ ଅଲ ଆଉଟ କରିଥିଲେ । ରେଣୁକା ସିଂ, ପୂଜା ବସ୍ତ୍ରକାର, ରାଧା ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲାବେଳେ ଦୀପ୍ତି ଶର୍ମା ଦୁଇଟି ୱିକେଟ୍ ନେଇଥିଲେ । ଆଶା ଶୋଭନା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚରେ ଡେବ୍ୟୁ କରୁଥିବାବେଳେ ୪ ଟି ୱିକେଟ୍ ହାସଲ କରିଥିଲେ ।
ବିଜୟ ସହ ଭାରତୀୟ ମହିଳା ଦଳ ୧-୦ ରେ ଆଗୁଆ ରହିଛି । ଏହି ସିରିଜରେ ସମୁଦାୟ ୩ ଟି ଦିନିକିଆ, ୩ ଟି ଟି-୨୦ ଓ ଗୋଟିଏ ଟେଷ୍ଟ ମ୍ୟାଚ ଖେଳାଯିବ । ଜୁନ୍ ୧୬ ରୁ ଜୁଲାଇ ୯ ପର୍ଯ୍ୟନ୍ତ ଏହି ସିରିଜ ଖେଳାଯିବ ଓ ଦ୍ଵିତୀୟ ଦିନିକିଆ ଜୁନ୍ ୧୯ ରେ ଏମ ଚିନ୍ନାସ୍ୱାମୀ ଷ୍ଟାଡିୟମ ବାଙ୍ଗାଲୋରରେ ଖେଳାଯିବ ।
ଅଧିକ ପଢନ୍ତୁ : ଟି୨୦ ବିଶ୍ବକପ୍-୨୦୨୪ରେ ସୁପର-୮ର ଚିତ୍ର ସ୍ପଷ୍ଟ: ଭାରତକୁ କିଏ ଓ କେବେ କରିବେ ମୁକାବିଲା, ଜାଣନ୍ତୁ ପୂରା ବିବରଣୀ