ବାରବାଡୋସ: ଆମେରିକା ଓ ୱେଷ୍ଟଇଣ୍ଡିଜ୍ର ଆୟୋଜନରେ ଜାରି ଥିବା ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ପୁରୁଷ ବିଶ୍ବକପ୍-୨୦୨୪ରେ ଶ୍ରେଷ୍ଠ ୮ଟି ଟିମ୍ ସୁପର-୮ ପାଇଁ ପହଞ୍ଚି ସାରିଛନ୍ତି। ରବିବାର ସ୍କଟଲାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର ୫ ୱିକେଟ୍ରେ ବିଜୟ ପରେ ଇଂଲଣ୍ଡର ଭାଗ୍ୟରେ ପରିବର୍ତ୍ତନ ହୋଇଛି। ଇଂଲଣ୍ଡ ସୁପର-୮ରେ ପ୍ରବେଶ କରିଛି। ଏଥି ସହିତ ସୁପର-୮ରେ ପହଞ୍ଚିଥିବା ଶେଷ ଦଳ ବାଂଲାଦେଶ ହୋଇଛି, ଯିଏକି ନେପାଳକୁ ୨୧ ରନ୍ରେ ପରାସ୍ତ କରିଛି।
ଲିଗ୍ ପର୍ଯ୍ୟାୟରେ ‘ଗ୍ରୁପ-ଏ’ରୁ ଭାରତୀୟ ଟିମ୍ ଓ ଆମେରିକା ଯୋଗ୍ୟତା ଅର୍ଜନ କରିଛନ୍ତି। ‘ଗ୍ରୁପ-ବି’ରୁ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ, ‘ଗ୍ରୁପ-ସି’ରୁ ଆଫଗାନିସ୍ତାନ ଓ ୱେଷ୍ଟଇଣ୍ଡିଜ୍ ଓ ‘ଗ୍ରୁପ-ଡି’ ଦକ୍ଷିଣ ଆଫ୍ରିକା ଓ ବାଂଲାଦେଶ ସୁପର-୮ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ସୁପର-୮ର ୨ଟି ଗ୍ରୁପରେ ୪-୪ଟି ଦଳ ରହିଛନ୍ତି। ଏହି ୨ଟି ଗ୍ରୁପର ୨-୨ଟି ଟିମ୍ ସେମିଫାଇନାଲ ଖେଳିବେ। ‘ଗ୍ରୁପ-ଏ’ରେ ଭାରତ ବ୍ୟତୀତ ବାଂଲାଦେଶ, ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ଅଛନ୍ତି। ସେହିପରି ‘ଗ୍ରୁପ-ବି’ରେ ୱେଷ୍ଟଇଣ୍ଡିଜ ସମେତ ଆଫ୍ରିକା, ଅମେରିକା ଓ ଗତଥର ଚାମ୍ପିଅନ ଇଂଲଣ୍ଡକୁ ସ୍ଥାନ ମିଳିଛି।
ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଟିମ୍ ଆସନ୍ତା ୨୦ ତାରିଖରେ ନିଜର ପ୍ରଥମ ମ୍ୟାଚ୍ ବାରବାଡୋସରେ ଖେଳିବ। ଏହି ମ୍ୟାଚ୍ ଆଫଗାନିସ୍ତାନ ବିପକ୍ଷରେ ହେବ। ଏହା ପରେ ଦ୍ବିତୀୟ ମୁକାବିଲା ଜୁନ ୨୨ରେ ଆଣ୍ଟିଗୁଆରେ ବାଂଲାଦେଶ ବିପକ୍ଷରେ ଖେଳାଯିବ। ଭାରତ ସୁପର-୮ ପର୍ଯ୍ୟାୟରେ ନିଜର ଶେଷ ମ୍ୟାଚ୍ ଜୁନ ୨୪ ତାରିଖରେ ସେଣ୍ଟ ଲୁସିଆରେ ଖେଳିବ। ଏହି ମ୍ୟାଚ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ସମସ୍ତ ମ୍ୟାଚ ଭାରତୀୟ ସମୟ ରାତି ୮ଟାରେ ଖେଳାଯିବ।