ନଭି ମୁମ୍ବାଇ: ୨୦୨୬ ଟି-୨୦ ବିଶ୍ଵକପ୍ ପୂର୍ବରୁ ଟିମ୍ ଇଣ୍ଡିଆ ତା’ର ଶେଷ ଅଭ୍ୟାସ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ହରାଇଛି। ନଭି ମୁମ୍ବାଇର ଡିୱାଇ ପାଟିଲ ସ୍ପୋର୍ଟ୍ସ ଏକାଡେମୀରେ ଖେଳାଯାଇଥିବା ମ୍ୟାଚରେ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ଵରେ ଟିମ୍ ଇଣ୍ଡିଆ ୩୦ ରନରେ ମ୍ୟାଚ୍ ଜିତି ବିପକ୍ଷ ଦଳକୁ କଡ଼ା ଚେତାବନୀ ଦେଇଛି। ଭାରତ ପାଇଁ ଇଶାନ କିଷାନ, ଅଭିଷେକ ଶର୍ମା ଏବଂ ତିଲକ ବର୍ମା ଚମତ୍କାର ଇନିଂସ ଖେଳିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୬ ଓ୍ଵିକେଟ୍ ହରାଇ ୨୪୦ ରନ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ୭ ଓ୍ଵିକେଟ୍ ବିନିମୟରରେ ୨୧୦ ରନ କରି ପାରିଥିଲା।
ଭାରତ ପାଇଁ ଇଶାନ କିଷାନ ସର୍ବାଧିକ ରନ କରିଛନ୍ତି। ସେ ମାତ୍ର ୨୦ ବଲରେ ୨ ଚୌକା ଏବଂ ୭ ଛକା ସହାୟତାରେ ୫୩ ରନ କରିଥିଲେ। ଏହା ପରେ ସେ ରିଟାୟର୍ଡ ହଟ୍ ହୋଇଥିଲେ। ଆହତ ସମସ୍ୟାରୁ ସୁସ୍ଥ ହୋଇ ପଡ଼ିଆକୁ ଫେରିଥିବା ତିଲକ ବର୍ମା ମଧ୍ୟ ଦମଦାର ପ୍ରଦର୍ଶନ କରିଥିଲେ। ସେ ୧୯ ବଲ୍ରେ ୩ ଚୌକା ଏବଂ ୩ ଛକା ସହାୟତାରେ ୪୫ ରନ କରିଥିଲେ। ଉପଅଧିନାୟକ ଅକ୍ଷର ପଟେଲ ଅପରାଜିତ ୩୫ ରନର ଇନିଂସ ଖେଳିଥିଲେ।
ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ୨୦ ଓଭରରେ ଦଳ ୬ ୱିକେଟ୍ ହରାଇ ୨୪୦ ରନ୍ କରିଥିଲା। ସମସ୍ତ ବ୍ୟାଟର ଅଳ୍ପ କିଛି ଅବଦାନ ଦେଇଥିଲେ, ଯାହା ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ସକରାତ୍ମକ ସଙ୍କେତ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୧୬ ବଲରୁ ୩୦ ରନ କରିଥିଲେ। ବୋଲିଂରେ ଦକ୍ଷିଣ ଆଫ୍ରିକା ପାଇଁ ମାର୍କୋ ଜାନସେନ୍, କର୍ବିନ୍ ବୋଶ୍, ଏନରିକ୍ ନୋର୍ଖିଆ ଏବଂ କ୍ୱେନା ମ୍ଫାକା ପ୍ରତ୍ୟେକେ ଗୋଟିଏ ୱିକେଟ୍ ନେଇଥିଲେ।
ବିଶାଳ ଟାର୍ଗେଟର ପିଛା କରି ଦକ୍ଷିଣ ଆଫ୍ରିକା ୨୦ ଓଭରରେ ୭ ୱିକେଟ୍ ହରାଇ କେବଳ ୨୧୦ ରନ୍ କରିପାରିଥିଲା। ସପ୍ତମ ନମ୍ବରରେ ଖେଳିବାକୁ ଆସିଥିବା ଟ୍ରିଷ୍ଟନ ଷ୍ଟବ୍ସ ଏକ ଧମାକାଦାର ଇନିଂସ ଖେଳି ୨୧ ବଲ୍ରେ ୧ ଚୌକା ଏବଂ ୪ ଛକା ସହାୟତାରେ ୪୫ ରନ୍ କରିଥିଲେ। ୱିକେଟ୍ କିପର-ବ୍ୟାଟର ରିଆନ୍ ରିକେଲଟନ୍ ମଧ୍ୟ ୨୧ ବଲ୍ରେ ୪ ଚୌକା ଏବଂ ୩ ଛକା ସହାୟତାରେ ୪୪ ରନ୍ କରିଥିଲେ। ତଥାପି ଦଳ ୨୧୦ ରନ କରି ପାରିଥିଲା।
ସୂଚନାଯୋଗ୍ୟ, ଟି-୨୦ ବିଶ୍ଵକପ୍ ଫେବୃଆରୀ ୭ ତାରିଖ ଶନିବାର ଦିନ ଆରମ୍ଭ ହେବ। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ପାକିସ୍ତାନ ଏବଂ ନେଦରଲ୍ୟାଣ୍ଡ ମଧ୍ୟରେ ଖେଳାଯିବ। ସେହି ଦିନ ୱାଙ୍ଖେଡେ ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ଆମେରିକା ସହିତ ମୁକାବିଲା କରିବ।