୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଦ୍ଵିତୀୟ ମ୍ୟାଚରେ ବାଜି ମାରିଛି ରୋହିତ ଶର୍ମାଙ୍କ ଭାରତୀୟ ଦଳ । ପ୍ରଥମ ମ୍ୟାଚରେ ଭାରତର ପରାଜୟ ପରେ ଦ୍ଵିତୀୟ ମ୍ୟାଚ ଜିତି ସିରିଜକୁ ୧-୧ ସ୍ଥିତିରେ ପହଞ୍ଚାଇଛି । ୟଶସ୍ଵୀ ଜେସୱାଲଙ୍କ ଦ୍ୱିସତକ, ଶୁଭମନ ଗିଲଙ୍କ ଶତକ ଏବଂ ଯଶପ୍ରୀତ ବୁମରାଙ୍କ ଦୁଇଟି ଇନିଂସରେ ୯ ଟି ୱିକେଟ୍ ଫଳରେ ମ୍ୟାଚ ଜିତିବାରେ ସଫଳ ହୋଇଛି ଭାରତୀୟ ଦଳ । ପ୍ରଥମ ଇନିଂସରେ ୬ଟି ଏବଂ ଦ୍ଵିତୀୟ ଇନିଂସରେ ୩ଟି ୱିକେଟ୍ ନେଇ ମ୍ୟାଚର ଶ୍ରେଷ୍ଟ ଖେଳାଳି ହୋଇଛନ୍ତି ଯଶପ୍ରୀତ ବୁମରା ।
ପ୍ରଥମ ମ୍ୟାଚରେ ଭାରତୀୟ ଦଳର ପରାଜୟ ପରେ ଦ୍ଵିତୀୟ ମ୍ୟାଚ ଭାରତୀୟ ଦଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ଟସ ଜିତି ବ୍ୟାଟିଂର ନିଷ୍ପତି ନେଇଥିଲେ ଅଧିନାୟକ ରୋହିତ ଶର୍ମା । ପ୍ରଥମ ଇନିଂସରେ ଭାରତୀୟ ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ ୟଶସ୍ଵୀ ଜେସୱାଲ ଗୋଟିଏ ପଟେ ଠିଆ ହୋଇ ଭାରତୀୟ ଦଳକୁ ୩୯୬ ରନରେ ପହଞ୍ଚାଇବା ସହ ବ୍ୟକ୍ତିଗତ ୨୦୯ ରନ ସଂଗ୍ରହ କରିଥିଲେ । ପ୍ରଥମ ଇନିଂସରେ ଇଂଲଣ୍ଡ ପକ୍ଷରୁ ଜ୍ୟାକ କ୍ରଲି ସର୍ବାଧିକ ୭୬ ରନ ସଂଗ୍ରହ କରିଥିବାବେଳେ ଅଧିନାୟକ ବେନ ଷ୍ଟୋକସ ୪୭ ରନ ସଂଗ୍ରହ କରିଥିଲେ । ଇଂଲଣ୍ଡ ବୋଲରଙ୍କ ମଧ୍ୟରୁ ଜେମ୍ସ ଆଣ୍ଡରସନ, ସୋହେବ ବସିର, ରେହନ ଅହମଦ ୩ଟି ଲେଖାଏଁ ୱିକେଟ୍ ନେଇଥିଲାବେଳେ ଟମ ହାର୍ଟଲି ଗୋଟିଏ ୱିକେଟ୍ ନେଇଥିଲେ । ପ୍ରଥମ ଇନିଂସରେ ଯଶପ୍ରୀତ ବୁମରାଙ୍କ ୬ ୱିକେଟ୍ ଓ କୁଲଦୀପ ଯାଦବଙ୍କ ୩ଟି ୱିକେଟ୍ ଇଂଲଣ୍ଡକୁ ୨୫୩ ରନରେ ସୀମିତ ରଖିଥିଲା ।
ଦ୍ଵିତୀୟ ଇନିଂସରେ ଶୁଭମନ ଗିଲ ସର୍ବାଧିକ ୧୦୪ ରନ କରିଥିବାବେଳେ ଅକ୍ସର ପଟେଲ ୪୫ ରନ କରିଥିଲେ ।ଦ୍ଵିତୀୟ ଇନିଂସ ଆରମ୍ଭରୁ ଇଂଲଣ୍ଡ ଆକ୍ରାତ୍ମକ ବ୍ୟାଟିଂ କରିଥିଲା । କିନ୍ତୁ ଭାରତୀୟ ବୋଲର ନିୟମିତ ବ୍ୟବଧାନରେ ୱିକେଟ୍ ନେବାରେ ସଫଳ ହୋଇଥିଲେ । ଯଶପ୍ରୀତ ବୁମରା ଓ ରବିଚନ୍ଦ୍ରନ ଅଶ୍ୱିନ ୩ଟି ଲେଖାଏଁ ୱିକେଟ୍ ନେଇଥିଲାବେଳେ ମୁକେଶ କୁମାର, ଅକ୍ସର ପଟେଲ ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ନେଇଥଲେ । ଇଂଲଣ୍ଡର ଅଧିନାୟକ ବେନ ଷ୍ଟୋକସଙ୍କୁ ଶ୍ରେୟର ଆୟାର ରନ ଆଉଟ କରିଥିଲେ ଯାହା ପଡିଆରେ ଥିବା ଦର୍ଶକଙ୍କୁ ବେଶ ପସନ୍ଦ ଆସିଥିଲା । ଏଥିସହ ୧-୧ ରେ ସିରିଜ ସମାନ ସ୍ଥିତିରେ ରହିଛି । ୫ ମ୍ୟାଚ ବିଶିଷ୍ଟ ସିରିଜର ଆଉ ୩ଟି ମ୍ୟାଚ ବାକିଥିବାବେଳେ ତୃତୀୟ ମ୍ୟାଚ ୧୫ ଫେବୃଆରୀରେ ରାଜକୋଟରେ ଖେଳାଯିବ ।
ଅଧିକ ପଢନ୍ତୁ : ଗିଲଙ୍କ ଶତକର ପ୍ରଶଂସା କଲେ ଯୁବରାଜ ସିଂ ଏବଂ ଶିଖର ଧାୱନ