ଆଜି ମୁମ୍ୱାଇରେ ଖେଳାଯିବ ଭାରତ ଅଷ୍ଟ୍ରେଲିଆ ଦିନିକିଆ ସିରିଜର ପ୍ରଥମ ମୁକାବିଲା
Khabar Odisha:india-australia-first-one-day-match-in-mumbai
ମୁମ୍ୱାଇ,ଜାନୁଆରୀ ୧୪ (ଖବର ଓଡ଼ିଶା):

ଆଜି ଭାରତ-ଅଷ୍ଟ୍ରେଲିଆ ହାଇଭୋଲଟେଜ ଏକଦିବସୀୟ ଶୃଙ୍ଖଳାର ପ୍ରଥମ ମୁକାବିଲା ମୁମ୍ବାଇର ୱାଙ୍ଖଡ଼େ ଷ୍ଟାଡିୟମ୍‌ରେ ଦିନ 1ଟା30ରେ ଖେଳାଯିବ । ଏହି ମ୍ୟାଚ୍‌ ଖେଳି ଚଳିତ ବର୍ଷର ଦିନିକିଆ ଅଭିଯାନ ଆରମ୍ଭ କରିବ ଭାରତ । ୨୦୨୦ର ପ୍ରଥମ ଟି20 ଶୃଙ୍ଖଳାରେ ଭାରତ ପଡୋଶୀ ଶ୍ରୀଲଙ୍କାକୁ 2-0ରେ ପରାଜୟ କରି ସିରିଜ ବିଜୟ ହାସଲ କରିଛି । ବର୍ଷର ପ୍ରଥମ ସିରିଜରେ ବିଜୟ ଲାଭ କରି ଟିମ ଇଣ୍ଡିଆ ଖେଳିଳିଙ୍କ ମନୋବଳ ଉଚ୍ଚ ରହିଥିଲେ ମଧ୍ୟ ପ୍ରକୃତ ପରୀକ୍ଷା ଏହି ସିରିଜରେ ହେବ ବୋଲି ମତ ଦେଇଛନ୍ତି କ୍ରିକେଟ ପଣ୍ଡିତ ମାନେ । 

ସେଥିପାଇଁ ଅଷ୍ଟ୍ରେଲିଆ ବିପକ୍ଷ ଶୃଙ୍ଖଳାରେ କୋହଲି ବାହିନୀର ଅସଲ ପରୀକ୍ଷା ହେବାକୁ ଯାଉଛି । ଗତବର୍ଷ ପ୍ରାରମ୍ଭରେ ଭାରତ ଆସିଥିବା ଅଷ୍ଟ୍ରେଲିଆ ପାଞ୍ଚଟିକିଆ ଶୃଙ୍ଖଳାରେ ୩-୨ରେ ବିଜୟୀ ହୋଇଥିଲା। ଭାରତ ପ୍ରଥମ ଦୁଇ ମ୍ୟାଚ୍ ଜିତିବା ପରେ ଶେଷ ତିନିଟି ମୁକାବିଲାରେ ଲଗାତାର ବିଜୟ ହାସଲ କରି କଙ୍ଗାରୁ ଦଳ ଶୃଙ୍ଖଳା ବିଜୟର ସ୍ବାଦ ଚାଖିଥିଲା । ଗତବର୍ଷ ପରାଜୟର ମଧୁର ପ୍ରତିଶୋଧ ନେବା ପାଇଁ ଭାରତ ପାଖରେ ଏବେ ଭଲ ମୌକା ରହିଛି । 

ସେପଟେ ଅଷ୍ଟ୍ରେଲିଆ ବିଜୟୀ ହେଲେ ଭାରତରେ ଲଗାତାର ଶୃଙ୍ଖଳା ବିଜୟର ବିରଳ କୀର୍ତ୍ତିମାନ ହାସଲ କରିବ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଗତ ୬ ବର୍ଷ ମଧ୍ୟରେ ଖେଳା ଯାଇଥିବା ୨୮ ଦିନିକିଆକୁ ବିଚାରକୁ ନେଲେ ପ୍ରଶଂସକ ମଙ୍ଗଳବାର ଏକ ହାଇସ୍କୋରିଂ ମ୍ୟାଚ୍ ଦେଖିବାର ଯଥେଷ୍ଟ ସମ୍ଭାବନା ରହିଛି। ଭାରତକୁ ଅଷ୍ଟ୍ରେଲିଆରେ ପ୍ରଥମ ଟେଷ୍ଟ୍‌ ଶୃଙ୍ଖଳା ବିଜୟ ଉପହାର ଦେଇଥିବା ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଦୀର୍ଘ ବ୍ୟବଧାନ ପରେ ମଙ୍ଗଳବାର ଏକଦିବସୀୟ କ୍ରିକେଟ୍‌କୁ ଫେରିବେ। ତା’ସହ ଭାରତୀୟ ଅଧିନାୟକ ବିରାଟ କୋହଲି ଏବଂ ଷ୍ଟିଭେନ୍ ସ୍ମିଥଙ୍କ ମଧ୍ୟରେ ହେବାକୁ ଥିବା ଲଢ଼େଇକୁ ମଧ୍ୟ ଅନେକ କ୍ରିକେଟ ପ୍ରେମୀ ଚାହିଁ ରହିଛନ୍ତି । 

ଶ୍ରୀଲଙ୍କା ଶୃଙ୍ଖଳାରେ ବିଶ୍ରାମ ନେବା ପରେ ଉପଅଧିନାୟକ ରୋହିତ ଶର୍ମା ଏବଂ ଦ୍ରୁତ ବୋଲର ମହମ୍ମଦ ସାମି ମଧ୍ୟ ଏହି ମ୍ୟାଚ୍‌ରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବେ। ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳାର ଦ୍ବିତୀୟ ମ୍ୟାଚ୍ ଆସନ୍ତା ୧୭ ତାରିଖରେ ରାଜକୋଟ ଏବଂ ତୃତୀୟ ଦିନିକିଆ ୧୯ ତାରିଖରେ ବେଙ୍ଗାଲୁରୁରେ ଖେଳାଯିବ। ଭାରତ ଓ ଅଷ୍ଟ୍ରେଲିଆ ପରସ୍ପର ବିପକ୍ଷରେ ୧୩୭ ଦିନିକିଆ ଖେଳିଛନ୍ତି। ସେଥିମଧ୍ୟରୁ ଭାରତ ୫୦ ଏବଂ ଅଷ୍ଟ୍ରେଲିଆ ୭୭ ଦିନିକିଆ ଜିତିଥିବା ବେଳେ ୧୦ ମ୍ୟାଚ୍‌ର ଫଳାଫଳ ମିଳିନି।

ତେବେ ଆସନ୍ତା କାଲିର ମ୍ୟାଚରେ ଟସର ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଶ୍ଟୟ ରହିବ, ଯେଉଁ ଦଳ ବି ଟସ ଜିତିବ ପ୍ରଥମ ବୋଲିଂ କରିବା ପାଇଁ ନିଶ୍ଚିତ ଚାହିଁବ କାରଣ ମ୍ୟାଚର ଦ୍ୱିତୀୟାର୍ଦ୍ଧରେ ପ୍ରବଳ କାକର ପଡୁଥିବାରୁ ଯେଉଁ ଦଳ ବି ଟସ ଜିତିବ ପ୍ରଥମ ବୋଲିଂ କରିବା ଥୟ । ସେହିଭଳି କାକରକୁ ମୁକାବିଲା କରିବା ପାଇଁ ଅଷ୍ଟ୍ରେଲିଆ ଦଳ ଗତ ଦୁଇ ଦିନ ହେବ ଓଦା ବଲରେ ବୋଲିଂ କରିବା ଅଭ୍ୟାସ କରୁଥିବା ଜଣାପଡିଛି । 

Subscribe

National International State Sports Entertainment