ଲଣ୍ଡନ: କେନିଙ୍ଗଟନ ଓଭାଲରେ ଖେଳାଯାଉଥିବା ଟେଷ୍ଟ ସିରିଜର ଅନ୍ତିମ ଚରଣରେ ଭାରତ ଐତିହାସିକ ବିଜୟ ହାସଲ କରିଛି । ମହମ୍ମଦ ସିରାଜଙ୍କ ଚମତ୍କାର ବୋଲିଂ ସହ ଏକ ରୋମାଞ୍ଚ ପୂର୍ଣ୍ଣ ମୁକାବିଲାରେ ଭାରତ ଘରୋଇ ଦଳ ଇଂଲଣ୍ଡକୁ ୬ ରନରେ ପରାସ୍ତ କରିଛି । ଏହା ସହିତ ୫ ଟିକିଆ ସିରିଜ ୨-୨ରେ ଅମୀମାଂସିତ ରହିଛି ।
ଓଭାଲ ଟେଷ୍ଟ ସିରିଜ୍ ଅନ୍ତିମ ମୁକାବିଲାର ଆଜିଥିଲା ଶେଷ ଦିନ । ଭାରତ ଇଂଲଣ୍ଡକୁ ୩୭୪ ରନ୍ ଟାର୍ଗେଟ୍ ଦେଇଥିଲା । ଗତକାଲି ଇଂଲଣ୍ଡ ୬ଟି ୱିକେଟ୍ ହରାଇ ୩୩୯ ରନ୍ କରିଥିଲା । ଆଜି ଇଂଲଣ୍ଡ ସମ୍ମୁଖରେ ୩୫ ରନ୍ ଲକ୍ଷ୍ୟ ଥିଲା । ଏହି ଟାର୍ଗେଟକୁ ପୂରା କରିବାକୁ ଇଂଲଣ୍ଡ ଖେଳାଳୀ ପଡ଼ିଆକୁ ଓହ୍ଲାଇଥିଲେ । ୭୮ ଓଭରର ତିନି ନମ୍ବର ବଲରେ ମହମ୍ମଦ ସିରାଜଙ୍କ ଯାଦୁ ଦେଖିବାକୁ ମିଳିଥିଲା । ସିରାଜଙ୍କ ଘାତକ ବୋଲିଂକୁ ସାମ୍ନା କରିପାରିନଥିଲେ ଇଂଲଣ୍ଡ ବ୍ୟାଟ୍ସମ୍ୟାନ । ସିରାଜଙ୍କ ବୋଲିଂରେ ଧ୍ରୁବ ଜୁରେଲ କ୍ୟାଚ୍ ଧରିବାରେ ସଫଳ ହୋଇଥିଲେ । ଶେଷରେ ଜେମୀ ସ୍ମିଥ୍ ଆଉଟ୍ ହୋଇ ପାଭିଲିୟନ୍ ଫେରିଥିଲେ । ସେହିପରି ୮ ନମ୍ବର ୱିକେଟର ଜେମୀ ଓବର୍ଟନ୍ ଆଉଟ୍ ହୋଇଥିଲେ । ଆଉ ଏହି ୱିକେଟର ଶ୍ରେୟ ମଧ୍ୟ ସିରାଜଙ୍କୁ ମିଳିଥିଲା । ସେହିପରି ପ୍ରସିଦ୍ଧ କୃଷ୍ଣା ଜୋସ୍ ଟଙ୍ଗଙ୍କ ୱିକେଟ ନେବାରେ ସଫଳ ହୋଇଥିଲେ । ଶେଷରେ ୮୬ତମ ଓଭରରେ ସିରାଜ୍ ଗସ ଅଟକିନ୍ସନଙ୍କୁ କ୍ଲିନ୍ ବୋଲ୍ଡ କରି ଭାରତକୁ ବିଜୟୀ କରାଇଥିଲେ । ଏହା ସହିତ ଦ୍ୱିତୀୟ ଇଂନିସରେ ମହମ୍ମଦ ସିରାଜ ୫, ପ୍ରସିଦ୍ଧ କୃଷ୍ଣା ୪ ଏବଂ ଆକାଶଦ୍ୱୀପ ୧ଟା ୱିକେଟ ନେବାରେ ସଫଳ ହୋଇଛନ୍ତି ।
ଇଂଲଣ୍ଡ ୩୬୭ ରନରେ ସମସ୍ତ ୱିକେଟ୍ ହରାଇଥିବାବେଳେ ଭାରତ ୬ ରନରେ ବିଜୟ ହାସଲ କରିଛି । ଫଳରେ ୫ ଟିକିଆ ବିଶିଷ୍ଟ ସିରିଜ୍ ୨-୨ରେ ଡ୍ର ରହିଛି ।
ଭାରତୀୟ ଦଳର ଷ୍ଟାର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ତାଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ଭାବରେ ମନୋନୀତ କରାଯାଇଛି । ସିରାଜ ଓଭାଲ ଟେଷ୍ଟରେ ମୋଟ ୯ଟି ୱିକେଟ ନେଇଥିଲେ । ସିରାଜ ସିରିଜରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ମଧ୍ୟ ଥିଲେ । ସେ ୨୩ଟି ୱିକେଟ୍ ନେଇଥିଲେ।
ଭାରତୀୟ ଦଳର ଅଧିନାୟକ ଶୁଭମନ ଗିଲ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ସର୍ବାଧିକ ରନ କରିଥିଲେ । ଗିଲ ୫ ମ୍ୟାଚ୍ ର ୧୦ ଇନିଂସରେ ୭୫.୪୦ ହାରରେ ୭୫୪ ରନ କରିଥିଲେ। ସେ ସିରିଜରେ ୪ଟି ଶତକ ହାସଲ କରିଥିଲେ।
ଭାରତୀୟ ଦଳର ପ୍ରଶିକ୍ଷକ ଗୌତମ ଗମ୍ଭୀର ଇଂଲଣ୍ଡର ହ୍ୟାରି ବ୍ରୁକଙ୍କୁ ସିରିଜର ଶ୍ରେଷ୍ଠ ଖେଳାଳି ଭାବରେ ବାଛିଛ ନ୍ତି। ହ୍ୟାରି ସିରିଜରେ ୫ଟି ମ୍ୟାଚ୍ ଖେଳି ୯ଟି ଇନିଂସରେ ୪୮୧ ରନ କରିଥିଲେ। ସେ ଦୁଇଟି ଶତକ ଏବଂ ଦୁଇଟି ଅର୍ଦ୍ଧଶତକ ହାସଲ କରିଥିଲେ ।