ନୂଆଦିଲ୍ଲୀ: ଦୀର୍ଘ ୭ ବର୍ଷ ହକି ଇଣ୍ଡିଆ ଲିଗ୍ ଫେରିଛି । ୨୦୨୪-୨୫ ହକି ଇଣ୍ଡିଆ ଲିଗ ପାଇଁ ତାରିଖ ଘୋଷଣା ମଧ୍ୟ ହୋଇଛି । ଆସନ୍ତା ଡିସେମ୍ବର ୨୮ ତାରିଖରୁ ଫେବ୍ରୁଆରୀ ୧ ତାରିଖ ପର୍ଯ୍ୟନ୍ତ ଟୁର୍ଣ୍ଣାମେଣ୍ଟ ଖେଳାଯିବ । ଏଥିପାଇଁ ଆସନ୍ତା ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଖେଳାଳି ନିଲାମ କରାଯିବା । ଶୁକ୍ରବାର ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି ।
ଘୋଷଣା ମୁତାବକ ଓଡ଼ିଶାର ରାଉରକେଲାରେ ପୁରୁଷ ଓ ଝାଡ଼ଖଣ୍ଡର ରାଞ୍ଚିରେ ଖେଳାଯିବ ମହିଳା ଲିଗର ସବୁ ମ୍ୟାଚ୍ । ସମସ୍ତ ଟିମ ଓଡ଼ିଶାରେ ହିଁ ରହିବେ ବୋଲି ସ୍ଥିର ହୋଇଛି । ଡିସେମ୍ବର ୨୮ରେ ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଲିଗ୍ ଉଦଘାଟନ ହେବ ।
ଚଳିତ ଏଚଆଇଏଲରେ ପୁରୁଷ ବର୍ଗରେ ୮ଟି ଦଳ ଏବଂ ମହିଳା ବର୍ଗରେ ୬ଟି ଦଳ ଅଂଶ ଗ୍ରହଣ କରିବେ । ପୁରୁଷ ବର୍ଗରେ ୮ଟି ଟିମକୁ ବିଭିନ୍ନ ଫ୍ରାଞ୍ଜଇଜ କିଣି ସାରିଛନ୍ତି । ସେହିପରି ମହିଳା ବର୍ଗରେ ୪ଟି ଟିମ୍ ଘୋଷଣା ହୋଇଛି । ଆଉ ଦୁଇଟି ଦଳ ପରେ ଘୋଷଣା କରାଯିବ ।
ପୁରୁଷ ବର୍ଗରେ ରହିଛି ଓଡ଼ିଶା, ଚେନ୍ନାଇ, ଲକ୍ଷ୍ନୌ, ପଞ୍ଜାବ, ପଶ୍ଚିମବଙ୍ଗ, ଦିଲ୍ଲୀ, ହାଇଦ୍ରାବାଦ ଏବଂ ରାଞ୍ଚି ଦଳ । ସେହିପରି ମହିଳା ବର୍ଗରେ ଓଡ଼ିଶା, ପଶ୍ଚିମବଙ୍ଗ, ଦିଲ୍ଲୀ ଓ ହରିୟାଣା ରହିଥିବା ବେଳେ ଆଉ ଦୁଇଟି ଦଳ ଘୋଷଣା କରାଯିବ । ପ୍ରତି ଦଳ ପାଇଁ ନିୟମ କରାଯାଇଛି । ନିୟମ ମୁତାବାକ ପ୍ରତି ଦଳରେ ୨୪ ଜଣ ଖେଳାଳି ରହିବେ ଏବଂ ସେମାନଙ୍କ ମଧ୍ୟରୁ ୧୬ ଜଣ ଭାରତୀୟ ଏବଂ ୮ ଜଣ ବିଦେଶୀ ଖେଳାଳି ରହିବେ ।
ଆଉ ଫେବ୍ରୁଆରୀ ୧ ତାରିଖରେ ଏଠାରେ ପୁରୁଷ ଟିମର ଫାଇନାଲ ଖେଳାଯିବ । ସେହିପରି ମହିଳା ଲିଗର ଫାଇନାଲ ଜାନୁଆରୀ ୨୬ ତାରିଖରେ ରାଞ୍ଚିରେ ଖେଳାଯିବ।
ପୁରୁଷ ଦଳର ଫ୍ରଞ୍ଚାଇଜ୍
ଓଡ଼ିଶା- ବେଦାନ୍ତ ଲିମିଟେଡ୍
ଚେନ୍ନାଇ- ଚାର୍ଲ୍ସ ଗ୍ରୁପ୍
ଲକ୍ଷ୍ନୌ- ୟାଦୁ ସ୍ପୋର୍ଟ୍ସ
ପଞ୍ଜାବ- ଜେଏସଡବ୍ଲ୍ୟୁ ସ୍ପୋର୍ଟସ୍
ପଶ୍ଚିମବଙ୍ଗ-ସାର୍ଚି ସ୍ପୋର୍ଟ୍ସ
ଦିଲ୍ଲୀ-ଏସଜି ସ୍ପୋର୍ଟ୍ସ ଏଣ୍ଡ୍ ଏଣ୍ଟରଟେନମେଣ୍ଟ
ହାଇଦ୍ରାବାଦ – ରିଜୋଲ୍ୟୁଟ୍ ସ୍ପୋର୍ଟସ୍
ରାଞ୍ଚି- ନଭୋୟମ୍ ସ୍ପୋର୍ଟସ୍ ଭେଞ୍ଚରପ୍ ପ୍ରା.ଲି.
ମହିଳ ଦଳର ଫ୍ରାଞ୍ଚାଇଜ୍
ଓଡ଼ିଶା- ନଭୋୟମ୍ ସ୍ପୋର୍ଟସ୍ ଭେଞ୍ଚରପ୍ ପ୍ରା.ଲି.
ପଶ୍ଚିମବଙ୍ଗ- ସାର୍ଚି ସ୍ପୋର୍ଟ୍ସ
ଦିଲ୍ଲୀ- ଏସଜି ସ୍ପୋର୍ଟ୍ସ ଏଣ୍ଡ୍ ଏଣ୍ଟରଟେନମେଣ୍ଟ
ହରିୟାଣା- ଜେଏସଡବ୍ଲ୍ୟୁ ସ୍ପୋର୍ଟସ୍