ରବିବାର ସଂଧ୍ୟାରେ ମୁମ୍ବାଇ ଓ ଗୁଜୁରାଟ ମଧ୍ୟରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ମ୍ୟାଚର ଅନ୍ତ ଘଟିଛି । ଶେଷ ଓଭରରେ ମ୍ୟାଚ ଜିତିଛି ଗୁଜୁରାଟ ଟାଇଟନ୍ସ । ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୧୬୯ ରନର ଟାର୍ଗେଟକୁ ଚେଜ କରିବାରେ ବିଫଳ ହୋଇଛି ମୁମ୍ବାଇ । ମ୍ୟାଚରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଏବଂ ଗୁଜୁରାଟକୁ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଥିବା ସାଇ ସୁଦର୍ଶନଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ଚୟନ କରାଯାଇଛି । ଶୁଭମନ ଗିଲଙ୍କ ନେତୃତ୍ୱରେ ଗୁଜୁରାଟ ଚଳିତ ଆଇପିଏଲର ପ୍ରଥମ ମ୍ୟାଚ୍କୁ ୬ ରନରେ ଜିତିବାରେ ସଫଳ ହୋଇଛି ।
ରବିବାର ସନ୍ଧ୍ୟାରେ ଦୁଇ ଦଳ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଗୁଜୁରାଟ ପକ୍ଷରୁ ଭଲ ଆରମ୍ଭ ହୋଇଥିଲେ ମଧ୍ୟ ଯଶପ୍ରୀତ ବୁମରା ଗୁଜୁରାଟ ପାଇଁ କାଳ ସାଜିଥିଲେ । ଯଶପ୍ରୀତ ବୁମରା ପ୍ରତେକଟି ସ୍ପେଲରେ ୱିକେଟ୍ ନେବା ସହ ଗୁଜୁରାଟକୁ ପଛରେ ରଖିଥିଲେ । ଏହା ସହ ଯଶପ୍ରୀତ ବୁମରା ୩ ଟି ୱିକେଟ୍ ନେଇଥିଲେ ଏବଂ ଜେରାଲ କୋଟଜି ୨ଟି ଓ ପିୟୁଷ ଚାୱଲା ଗୋଟିଏ ୱିକେଟ୍ ନେଇଥିଲେ । ଗୁଜୁରାଟ ପକ୍ଷରୁ ସାହା ୧୯, ଗିଲ ୩୧, ସାଇ ସୁଦର୍ଶନ ୪୫, ଓମରଜାଈ ୧୭, ଡେଭିଡ ମିଲର ୧୨, ବିଜୟ ଶଙ୍କର ୬, ରାହୁଲ ତେୱତୀଆ ୨୨ ଏବଂ ରାଶିଦ ଖାନ ୪ ରନ କରିଥିଲେ । ଏହା ସହ ଦଳୀୟ ସ୍କୋର ୧୬୮ ରେ ପହଞ୍ଚିଥିଲା ।
ଦ୍ଵିତୀୟ ଇନିଂସରେ ଈଶାନ କିଷାନ ବିନା ରନରେ ୱିକେଟ୍ ହରାଇଥିଲେ । ଏହା ପରେ ରୋହିତ ଶର୍ମା ୪୩ , ନମନ ଧୀର ୨୦, ଦେବାଲ୍ଡ଼ ବ୍ରେଭିସ ୪୬, ତିଳକ ବର୍ମା ୨୫ ଓ ଟିମ ଡେଭିଡ ୧୧ ରନ କରିଥିଲେ । ଶେଷରେ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ କରିବାକୁ ଆସିଥିଲେ ମଧ୍ୟ ୧୧ ରନରେ ୱିକେଟ୍ ହରାଇଥିଲେ । ଗୁଜୁରାଟ ପକ୍ଷରୁ ଉମେଶ ଯାଦବ ଶେଷ ଓଭରରେ ୨ଟି ୱିକେଟ୍ ନେଇ ମ୍ୟାଚ ଜିତାଇବାରେ ସଫଳ ହୋଇଥିଲେ । ଓମରଜାଈ, ସ୍ପେନସର ଜନସନ ଓ ମୋହିତ ଶର୍ମା ୨ଟି ୱିକେଟ୍ ନେଇଥିଲାବେଳେ ସାଇ କିଶୋର ଗୋଟିଏ ୱିକେଟ୍ ନେଇଥିଲେ ।
ଅଧିକ ପଢନ୍ତୁ : ଲକ୍ଷ୍ନୌ ସୁପର ଜାଏଣ୍ଟସ୍ କୁ ୨୦ ରନରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ