ଲକ୍ଷ୍ନୌ ସୁପର ଜାଏଣ୍ଟସ୍ କୁ ୨୦ ରନରେ ପରାସ୍ତ କଲା ରାଜସ୍ଥାନ ରୟାଲ୍ସ । ସୱାଇ ମାନସିଂ ଷ୍ଟାଡିୟମ, ଜୟପୁରରେ ଖେଳାଯାଇଥିବା ମ୍ୟାଚରେ ରାଜସ୍ଥାନର ଅଧିନାୟକ ସଂଜୁ ଶାମସନ ୫୨ ବଲରେ ୮୨ ରନ ସଂଗ୍ରହ କରିବା ସହ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ବିବେଚିତ ହୋଇଥିଲେ । ଟସ ଜିତି ବ୍ୟାଟିଂର ନିଷ୍ପତି ନେଇଥିଲେ ସଂଜୁ ଶାମସନ । ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ୟଶସ୍ଵୀ ଜେସୱାଲ ଦ୍ରୁତ ଗତିରେ ଖେଳିବା ସହ ୧୨ ବଲରେ ୨୪ ରନ କରି ୱିକେଟ୍ ହରାଇଥିଲେ । ଏହା ପରେ ସଂଜୁ ଶାମସନ ଓ ରିୟାନ ପରାଗଙ୍କ ସହଭାଗିତାରେ ଦଳୀୟ ସ୍କୋର ଆଗକୁ ବଢିଥିଲା । ରିୟାନ ପରାଗ ୨୯ ବଲରେ ୪୩ ରନ ସଂଗ୍ରହ କରିଥିବାବେଳେ ସଂଜୁ ୫୨ ବଲରେ ୮୨ ରନ ସଂଗ୍ରହ କରିଥିଲେ । ଶେଷରେ ଧ୍ରୁବ ଯୁରେଲଙ୍କ ୧୨ ବଲରେ ୨୦ ରନ ଫଳରେ ଦଳୀୟ ସ୍କୋର ୧୯୩ ରେ ପହଞ୍ଚିଥିଲା । ପ୍ରଥମ ଇନିଂସରେ ନବୀନ-ଉଲ-ହକ ୨ଟି ୱିକେଟ୍ ନେଇଥିବାବେଳେ ମୋହସିନ ଖାନ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
ଦ୍ଵିତୀୟ ଇନିଂସରେ ଅଧିନାୟକ କେଏଲ ରାହୁଲ ୫୮ ରନ, ଦୀପକ ହୁଡ଼ା ୨୬ ରନ, ନିକୋଲାସ ପୁରନ ୬୪ ରନ କରିଥିବାବେଳେ ଦଳର ଅନ୍ୟ ଖେଳାଳି ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିବାରେ ଅସଫଳ ହୋଇଥିଲେ । ଯାହାର ଫଳସ୍ୱରୂପ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା । ରାଜସ୍ଥାନର ବୋଲର ମଧ୍ୟ ଉତ୍ତମ ପ୍ରଦର୍ଶନ କରିଥିଲେ । ଆବେଶ ଖାନଙ୍କ ବ୍ୟତୀତ ଦଳର ପ୍ରତେକଟି ବୋଲର ଅତି କମରେ ଗୋଟିଏ ଲେଖାଏଁ ୱିକେଟ୍ ନେବାରେ ସଫଳ ହୋଇଥିଲେ । ଟ୍ରେଣ୍ଟ ବୋଲ୍ଟ ୨ଟି ୱିକେଟ୍ ନଇଥିଲାବେଳେ ନାନ୍ଦ୍ରେ ବର୍ଗର, ରବିଚନ୍ଦ୍ରନ ଅଶ୍ୱିନ, ୟୁଜବେନ୍ଦ୍ର ଚାହଲ ଓ ସନ୍ଦୀପ ଶର୍ମା ଗୋଟେ ଲେଖାଏଁ ୱିକେଟ୍ ନେଇଥିଲେ ।
ଅଧିକ ପଢନ୍ତୁ : ଆଜି ରାଜସ୍ଥାନ ରୟାଲ୍ସ ବନାମ ଲକ୍ଷ୍ନୌ ସୁପର ଜାଏଣ୍ଟସ୍