ଗୌତମ ଗମ୍ଭୀର ହେଲେ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ । ଏନେଇ ସୂଚନା ଦେଇଛନ୍ତି ବିସିସିଆଇ ସେକ୍ରେଟାରୀ ଜୟ ଶାହ । ଦୀର୍ଘ ଦିନ ଧରି ଚାଲିରହିଥିବା ଚର୍ଚ୍ଚାରେ ବିରାମ ଲାଗିଛି । ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଭାବରେ ଚୟନ କରାଯାଇଛି । ଚଳିତ ଟି-୨୦ ବିଶ୍ୱକପ ପରେ ଭାରତର ପୂର୍ବତନ ପ୍ରଶିକ୍ଷକଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ରାହୁଲ ଦ୍ରାବିଡ଼ ବିଶ୍ୱକପ ଟ୍ରଫି ସହ ବିଦାୟ ନେଇଥିଲେ । ଏହା ପରେ ଗୌତମ ଗମ୍ଭୀର ଭାରତୀୟ ଦଳର କୋଚ୍ ହେବା ନେଇ ବେଶ ଚର୍ଚ୍ଚା ନେଉଥିଲା । ଏହି ଚର୍ଚ୍ଚାରେ ବିରାମ ଲଗାଇ ବିସିସିଆଇ ସେକ୍ରେଟାରୀ ଜୟ ଶାହ ମଙ୍ଗଳବାର ସନ୍ଧ୍ୟାରେ ଗମ୍ଭୀର ଭାରତର ନୂଆ କୋଚ୍ ବୋଲି ଘୋଷଣା କରିଛନ୍ତି । ନିଜ ସୋସିଆଲ ମିଡ଼ିଆ ଏକ୍ସରେ ଏହି ଘୋଷଣା କରି ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ ଦଳକୁ ସ୍ୱାଗତ ଜଣାଇଛନ୍ତି । ସେ ଲେଖିଛନ୍ତି ବର୍ତ୍ତମାନ ସମୟରେ ମର୍ଡନ ଡେ କ୍ରିକେଟରେ ଅନେକ ପରିବର୍ତ୍ତନ ଆସିଛି ଏବଂ ଗମ୍ଭୀର ମଧ୍ୟ ଅତି ନିକଟରୁ ଏହି ପରିବର୍ତ୍ତନକୁ ଦେଖିଛନ୍ତି । ତେଣୁ ସେ ଭାରତୀୟ ଦଳ ପାଇଁ ଠିକ ବ୍ୟକ୍ତି ହେବେ ଏବଂ ଏ ନେଇ ବିସିସିଆଇ ତାଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରିବ ।
ଅଧିକ ପଢନ୍ତୁ : କେକେଆର ଦେଲା ଅଫର, ରାହୁଲ ଦ୍ରାବିଡ଼ ହେବେ କେକେଆରର ପରାମର୍ଶଦାତା !