ଟି-୨୦ ବିଶ୍ୱକପ ୨୦୨୪ ର ୨୮ ତମ ମ୍ୟାଚରେ ଇଂଲଣ୍ଡ ଓ ଓମାନ ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ମାତ୍ର ୧୯ ଟି ବଲରେ ବିଜୟ ହାସଲ କରିଛି । ଓମାନକୁ ୮ ୱିକେଟରେ ପରାସ୍ତ କରିବା ସହ ସୁପର -୮ ରେ ପହଞ୍ଚିବାର ଆଶା ବଜାୟ ରଖିଛି।
ଟସ୍ ଜିତି ପ୍ରଥମେ ବୋଲିଂର ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ଷ୍ଟାଡିୟମରେ ୱିକେଟ୍ ର ବର୍ଷା କରିବାକୁ ଲାଗିଥିଲା। ଇଂଲିଶ ବୋଲିଂ ଆକ୍ରମଣ ଆଗରେ ଓମାନର ୧୩.୨ ଓଭରରେ ୪୭ ରନ ସଂଗ୍ରହ କରିଥିଲା। ଟି-୨୦ ବିଶ୍ୱକପ ଇତିହାସରେ ଏହା ଚତୁର୍ଥ ସର୍ବନିମ୍ନ ଦଳୀୟ ସ୍କୋର ଥିଲା।
ସ୍ପିନର ଆଦିଲ ରସିଦ ୪ ଓଭରରେ ୧୧ ରନ ଦେଇ ଚାରିଟି ୱିକେଟ୍ ନେଇଥିବାବେଳେ ଜୋଫ୍ରା ଆର୍ଚର ଓ ମାର୍କ ଉଡ଼ ତିନୋଟି ଲେଖାଏଁ ୱିକେଟ୍ ନେଇଥିଲେ। ସେହିଭଳି ଏହି ମ୍ୟାଚରେ ଜୋଫ୍ରା ଆର୍ଚର ମଧ୍ୟ ତାଙ୍କର ୫୦ ତମ ଟି-୨୦ ଅନ୍ତର୍ଜାତୀୟ ୱିକେଟ୍ ନେଇଥିଲେ।
ଦ୍ଵିତୀୟ ଇନିଂସରେ ଫିଲ ସଲ୍ଟ ଓ ଯଶ ବଟଲର ବିସ୍ଫୋଟକ ଆରମ୍ଭ କରିଥିଲେ । ଫିଲ ସଲ୍ଟ ୩ ଟି ବଲ ଖେଳି ନିଜ ୱିକେଟ୍ ହରାଇଥିଲେ ମଧ୍ୟ ୨ ଟି ଛକ୍କା ମାରି ୧୨ ରନ ସଂଗ୍ରହ କରିଥିଲେ । ଯଶ ବଟଲର ୮ ଟି ବଲ ଖେଳି ୨୪ ରନ ସଂଗ୍ରହ କରିଥିଲେ ଯେଉଁଥିରେ ୪ ଟି ଚୌକା ଏବଂ ଗୋଟିଏ ଛକ୍କା ସାମିଲ ଥିଲା । ୱିଲ ଜ୍ୟାକ୍ସ ୭ ବଲରେ ୫ ରନ କରିଥିଲେ ଓ ଯନି ବେରଷ୍ଟୋ ୨ ଟି ବଲରେ ୨ ଟି ଚୌକା ମାରିଥିଲେ । ଏହା ସହ ଇଂଲଣ୍ଡ ମାତ୍ର ୧୯ ବଲରେ ବିଜୟ ହାସଲ କରିଥିଲା ।
ସୁପର ୮ ରେ ଯୋଗ୍ୟତା ଅର୍ଜନ ପାଇଁ ଏବେ ମଧ୍ୟ ଇଂଲଣ୍ଡକୁ ଅପେକ୍ଷା କରିବାକୁ ପଡିବ । ଗ୍ରୁପ-ବି ରେ ଅଷ୍ଟ୍ରେଲିଆ ସୁପର ୮ ରେ ସ୍ଥାନ ପକ୍କା କରିସାରିଥିବାବେଳେ ଆଉ ଗୋଟିଏ ସ୍ଥାନ ବାକି ରହିଛି । ସ୍କଟଲ୍ୟାଣ୍ଡ ୩ ଟି ମ୍ୟାଚରେ ୫ ପଏଣ୍ଟ ହାସଲ କରି ଦ୍ଵିତୀୟ ସ୍ଥାନରେ ରହିଛି । ତେବେ ଇଂଲଣ୍ଡ ୩ ଟି ମ୍ୟାଚରେ ୩ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି । ସୁପର ୮ ରେ ପ୍ରବେଶ କରିବାକୁ ହେଲେ ଇଂଲଣ୍ଡକୁ ୧୫ ତାରିଖରେ ନାମିବିଆକୁ ପରାସ୍ତ କରିବାକୁ ହେବ ଏବଂ ଅଷ୍ଟ୍ରେଲିଆକୁ କାନାଡ଼ା ବିପକ୍ଷରେ ବିଜୟ ହାସଲ କରିବାକୁ ହେବ ।
ଅଧିକ ପଢନ୍ତୁ : ଜମ୍ମୁ କଶ୍ମୀର ଆତଙ୍କବାଦୀ ଆକ୍ରମଣ: ନିନ୍ଦା କଲେ ପାକିସ୍ତାନୀ କ୍ରିକେଟର, ସୋସିଆଲ ମିଡିଆରେ ସେୟାର କଲେ ପୋଷ୍ଟ