ନୂଆଦିଲ୍ଲୀ: ଇଂଲଣ୍ଡର ତାରକା ଦ୍ରୁତ ବୋଲର ଜୋ ରୁଟ୍ ଟେଷ୍ଟ କ୍ରିକେଟରେ ସଂପ୍ରତି ଦମଦାର ଫର୍ମରେ ଅଛନ୍ତି। ତାଙ୍କ ବ୍ୟାଟରୁ ରନ ବର୍ଷା ହେବାରେ ଲାଗିଛି। ତାଙ୍କ ପ୍ରଦର୍ଶନକୁ ଦେଖିଲେ ଲାଗୁଛି ରୁଟ୍ ଖୁବ୍ ଶୀଘ୍ର ସଚିନ ତେନ୍ଦୁଲକରଙ୍କ ଟେଷ୍ଟ କ୍ରିକେଟ୍ରେ ସର୍ବାଧିକ ରନ କରିବାର ରେକର୍ଡର ନିକଟତର ହୋଇଯିବେ। ଲର୍ଡ୍ସ ଟେଷ୍ଟରେ ଦୁଇ ଇନିଂସରେ ଦୁଇ ଶତକ ହାସଲ କରିବା ପରେ ରୁଟ୍ ସର୍ବାଧିକ ରନହାସଲକାରୀ ତାଲିକାରେ ୧୨ ହଜାର ୩୭୭ ରନ ସହ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି।
ତାଲିକାରେ ଶୀର୍ଷରେ ଥିବା ସଚିନ ତେନ୍ଦୁଲକର(୧୫,୯୨୧) ଓ ରୁଟ୍ ଙ୍କ ମଧ୍ୟରେ ୩,୫୪୪ ରନର ବ୍ୟବଧାନ ରହିଛି। ଯେଉଁ ଶୈଳୀରେ ରୁଟ୍ ବ୍ୟାଟିଂ କରି ଚାଲିଛନ୍ତି, ଏହାକୁ ଦେଖିଲେ ଲାଗୁଛି ସେ ଆଗାମୀ ୩ ରୁ ୪ ବର୍ଷରେ ତେନ୍ଦୁଲକରଙ୍କ ନିକଟତର ହୋଇଯିବେ। ଲର୍ଡସ୍ ଟେଷ୍ଟ ପରେ ଯେବେ ରୁଟ୍ ଙ୍କ ପ୍ରଶ୍ନ କରାଗଲା ଯେ, ତାଙ୍କ ନଜର କଣ ସଚିନଙ୍କ ବିଶ୍ଵ ରେକର୍ଡ ଉପରେ ରହିଛି। ଏହାର ଉତ୍ତରରେ ରୁଟ୍ କହିଛନ୍ତି, ସେ କେବଳ ଖେଳିବାକୁ ଚାହାନ୍ତି ଏବଂ ଦଳ ବିଜୟରେ ଅଧିକରୁ ଅଧିକ ଯୋଗଦାନ ଦେବାକୁ ଚାହାନ୍ତି। ଇଂଲଣ୍ଡ କ୍ରିକେଟ୍ ଦ୍ଵାରା ଏକ୍ସରେ ପୋଷ୍ଟ ହୋଇଥିବା ଭିଡିଓରେ ଜୋ ରୁଟ୍ ଏହା କହୁଥିବା ଦେଖିବାକୁ ମିଳିଛି।
ରୁଟ୍ ଏହା ମଧ୍ୟ କହିଛନ୍ତି, ଟେଷ୍ଟରେ ଶତକ ହାସଲ କରିବାରେ ଏଥିରୁ ବଡ଼ କିଛି ଆଉ ହୋଇ ନ ପାରେ। ଟେଷ୍ଟ ବିଜୟର ଏକ ବିଶେଷ ଆନନ୍ଦ ରହିଛି। ସବୁଠୁ ବଡ଼ କଥା ହେଉଛି ଆପଣ ଦଳ ବିଜୟରେ ଯେତେ ଯୋଗଦାନ ଦେଇ ପାରିବେ ସେତେ ଭଲ। ଆଶା କରୁଛି ଏହି ମାନସିକତା ସହ ଆଗକୁ ଖେଳ ଜାରି ରଖିବି।
ଉଲ୍ଲେଖନୀୟ, ରୁଟ୍ ଶ୍ରୀଲଙ୍କା ବିପକ୍ଷ ଲର୍ଡ୍ସ ଟେଷ୍ଟର ପ୍ରଥମ ଇନିଂସରେ ୧୪୩ ରନ କରିଥିବା ବେଳେ ଦ୍ଵିତୀୟ ଇନିଂସରେ ୧୦୩ ରନର ଦମଦାର ଇନିଂସ ଖେଳିଛନ୍ତି। ସେ କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡସ୍ ମଇଦାନରେ ଗୋଟିଏ ଟେଷ୍ଟର ଉଭୟ ଇନିଂସରେ ଶତକ ଅର୍ଜନ କରିବାରେ ଚତୁର୍ଥ ବ୍ୟାଟର।