ନୂଆଦିଲ୍ଲୀ: କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ନିକଟରେ ଜମ୍ମୁ-କାଶ୍ମୀରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାର ଘୋଷଣା କରିଛନ୍ତି । ଏହି ସମୟରେ ସେ ଦେଇଥିବା ଟିପ୍ପଣୀକୁ ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ସହ ଯୋଡା ଯାଉଛି । ଆସନ୍ତା ବର୍ଷ ପାକିସ୍ତାନରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆୟୋଜନ ହେବ । ତେବେ ଭାରତୀୟ କ୍ରିକେଟ୍ ଦଳ ଏହି ପଡୋଶୀ ଦେଶ ଗସ୍ତ କରିବ କି ନାହିଁ ତାହା ଭାରତ ସରକାରଙ୍କ ଉପରେ ନିର୍ଭର କରେ । କିନ୍ତୁ ଏ ପର୍ଯ୍ୟନ୍ତ ସ୍ଥିତି ସ୍ପଷ୍ଟ ହୋଇ ନାହିଁ ।
କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି, ଯେ ପର୍ଯ୍ୟନ୍ତ ଆତଙ୍କବାଦ ମୂଳପୋଛ ହୋଇ ନାହିଁ ସେ ପର୍ଯ୍ୟନ୍ତ ଆମେ ପାକିସ୍ତାନ ସରକାରଙ୍କ ସହ କୌଣସି ପ୍ରକାରର ଆଲୋଚନା ସପକ୍ଷରେ ନାହୁଁ । ଏହା ପରିବର୍ତ୍ତେ ଆମେ ଜମ୍ମୁ-କାଶ୍ମୀରର ଯୁବ ବର୍ଗଙ୍କ ବିଚାରକୁ ବୁଝିବା ଏବଂ ସେମାନଙ୍କ ସହ ଆଲୋଚନା କରିବା ପକ୍ଷରେ ଅଛୁ । ତାଙ୍କ ବ୍ୟତୀତ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ କହି ସାରିଛନ୍ତି ଯେ, ପାକିସ୍ତାନ ସହ ଆଲୋଚନା ବହୁତ ପଛକୁ ଚାଲି ଯାଇଛି ।
ଅମିତ ଶାହଙ୍କ ଏହି ବୟାନକୁ ଚାମ୍ପିଅନ୍ସ ଟ୍ରଫି ୨୦୨୫ ସହ ଯୋଡା ଯାଉଛି । କାରଣ ସେ ପାକିସ୍ତାନ ବିପକ୍ଷରେ ସର୍ବଦା କଠୋର ଆଭିମୁଖ୍ୟ ଆପଣେଇ ଆସିଛନ୍ତି । ଏମିତିରେ କୁହାଯାଉଛି, ଭାରତ ସରକାର କୌଣସି ବି ସ୍ଥିତିରେ କ୍ରିକେଟ୍ ଦଳକୁ ଚାମ୍ପିଅନ୍ସ ଟ୍ରଫୀ ଖେଳିବାକୁ ପଡୋଶୀ ଦେଶକୁ ପଠାଇବା ପକ୍ଷରେ ନାହାନ୍ତି । କିଛି ସମୟ ପୂର୍ବରୁ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ମଧ୍ୟ ନିଜ ଟିପ୍ପଣୀରେ କହିଥିଲେ, ଭାରତୀୟ ଦଳକୁ ପାକିସ୍ତାନ ପଠାଯିବା ନିଷ୍ପତ୍ତି ସଂପୂର୍ଣ୍ଣ ଭାବେ ଭାରତ ସରକାରଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ।