ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୨୦୦୮ରୁ ଚେନ୍ନାଇ ସୁପର କିଙ୍ଗ୍ର ଅବିଚ୍ଛେଦ୍ୟ ଅଙ୍ଗ ଭାବେ ରହି ଆସିଛନ୍ତି । ତାଙ୍କ ନେତୃତ୍ୱରେ ଚେନ୍ନାଇ ୫ ଥର ଆଇପିଏଲ୍ ଟାଇଟଲ୍ ଜିତିଛି । ଆଇପିଏଲକୁ ଲୋକପ୍ରିୟତା ଦେବାରେ ମଧ୍ୟ ଧୋନୀଙ୍କ ବଡ ଯୋଗଦାନ ରହିଛି । ହେଲେ ଆଇପିଏଲ୍ ୨୦୨୪ରେ ସେ ସିଏସକେର ଅଧିନାୟକ ପଦରୁ ଅବ୍ୟାହତି ନେଇଛନ୍ତି । ଏମିତିରେ ତାଙ୍କର ଆଇପିଏଲ୍ ୨୦୨୫ ଖେଳିବା ନେଇ ସଂଶୟ ରହିଛି ।
କିଛି ସମୟ ପୂର୍ବରୁ ଏକ ରିପୋର୍ଟରୁ ଖୁଲାସା ହୋଇଥିଲା ଯେ, ଧୋନୀଙ୍କ ଭବିଷ୍ୟତକୁ ନେଇ ନିଷ୍ପତ୍ତି ତେବେ ନିଆଯିବ ତେବେ ବିସିସିଆଇ ଆଇପିଏଲ୍ ୨୦୨୫ ପାଇଁ ରିଟେସନ ପଲିସି ଜାରି କରିବ । ଏବେ କ୍ରିକବଜ ଅନୁସାରେ ବିସିସିଆଇ ପ୍ରତି ଦଳକୁ ମାତ୍ର ଦୁଇ ଖେଳାଳିଙ୍କୁ ରିଟେନ କରିବାକୁ ଅନୁମତି ଦେଲେ ମଧ୍ୟ ଧୋନୀ ଆଇପିଏଲର ୧୮ତମ ସିଜିନ ଖେଳିବେ । ମାତ୍ର ଚେନ୍ନାଇର ପ୍ରବନ୍ଧକ କଣ ନିଷ୍ପତ୍ତି ନେଉଛନ୍ତି ତାହା ଧୋନୀଙ୍କ ଉପରେ ନିର୍ଭର କରେ । ଯଦି ଧୋନୀ ଚାହିଁବେ ତେବେ ସିଏସକେ ତାଙ୍କୁ ରିଟେନ୍ କରି ନେବ ।
ଉଲ୍ଲେଖନୀୟ ରିଟେସନ ପଲିସିର ଘୋଷଣା ଅଗଷ୍ଟ ମାସର ଶେଷ ଆଡକୁ ହେବାର ଥିଲା । ମାତ୍ର ବିସିସିଆଇ ଏ ପର୍ଯ୍ୟନ୍ତ ନିୟମର ଘୋଷଣା କରିନାହିଁ । ତେଣୁ ଫ୍ରାଞ୍ଚାଇଜମାନେ ମଧ୍ୟ ରିଟେସନ ପଲିସିକୁ ନେଇ ସଂଶୟରେ ଅଛନ୍ତି । ରିଟେସନ ପଲିସି ସାମ୍ନାକୁ ଆସିବା ପରେ କେଉଁ ଫ୍ରାଞ୍ଚାଇଜ କେଉଁ ଖେଳାଳିଙ୍କୁ ରଖିବେ ସେ ଚିତ୍ର ଧିରେ ଧିରେ ସ୍ପଷ୍ଟ ହୋଇଯିବ । କୁହାଯାଉଛି ସେପ୍ଟେମ୍ବର ମାସର ଶେଷ ଆଡକୁ ବିସିସିଆଇ ରିଟେସନ ପଲିସି ଘୋଷଣା କରିପାରେ ।