ନୂଆଦିଲ୍ଲୀ: ଭାରତର ତାରକା ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ନିଜର ଅନ୍ତର୍ଜାତୀୟ କ୍ୟାରିୟରର ଭବିଷ୍ୟତକୁ ନେଇ ଖୋଲାଖୋଲି ଆଲୋଚନା କରିଛନ୍ତି । ଭାରତୀୟ ଟେଷ୍ଟ ଦଳର ଅବିଚ୍ଛେଦ୍ୟ ଅଙ୍ଗ ଅଶ୍ୱିନ କହିଛନ୍ତି ସେ ସନ୍ନ୍ୟାସ ବିଷୟରେ ତେବେ ଚିନ୍ତା କରିବେ ଯେବେ ସେ ନିଜର ଖେଳକୁ ସୁଧାରିବା ପାଇଁ ଅନିଚ୍ଛା ପ୍ରକାଶ କରିବେ । ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଅଶ୍ୱିନ କହିଛନ୍ତି, ସେ ଏ ପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାନ୍ତି ଯେ, କେବେ କ୍ରିକେଟରୁ ଅବସର ଗ୍ରହଣ କରିବେ ।
ଅଶ୍ୱିନ ଏକ ୟୁଟ୍ୟୁବ ଚ୍ୟାନେଲ ସହ ଆଲୋଚନା ବେଳେ କହିଛନ୍ତି, ମୋ ମୁଣ୍ଡରେ ବର୍ତ୍ତମାନ ସେମିତି କିଛି ନାହିଁ । ମୁଁ କେବଳ ବର୍ତ୍ତମାନ ବିଷୟରେ ଚିନ୍ତା କରୁଛି । ଗତ ୩ରୁ ୪ ବର୍ଷ ମୁଁ ବହୁତ ପରିଶ୍ରମ କରିଛି । ମୁଁ ଅବସର ବିଷୟରେ କିଛି ନିଷ୍ପତ୍ତି ନେଇ ନାହିଁ । ମାତ୍ର ଯେବେ ମୋତେ ଲାଗିବ ଯେ, ମୁଁ ନିଜ ଖେଳରେ ସୁଧାର କରିବାକୁ ଚାହୁଁନି ସେହି ଦିନ ସନ୍ନ୍ୟାସ ନେଇଯିବି ।
ଉଲ୍ଲେଖନୀୟ ଅଶ୍ୱିନୀ ଆଇସିସି ଟେଷ୍ଟ ବୋଲିଂ ମାନ୍ୟତାରେ ଶୀର୍ଷରେ ଅଛନ୍ତି । ଭାରତ ଆଗାମୀ ପାଞ୍ଚ ଟେଷ୍ଟ ମ୍ୟାଚର ଘରୋଇ ସିରିଜରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ । ବାଂଲାଦେଶ ବିପକ୍ଷରେ ଦୁଇ ମ୍ୟାଚର ଟେଷ୍ଟ ସିରିଜ୍ ରହିଛି । ଏହା ପରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ । ଅଶ୍ୱିନ ୧୦୦ ଟେଷ୍ଟରେ ୫୧୬ ୱିକେଟ୍ ସହ ଭାରତର ଦ୍ୱିତୀୟ ସର୍ବାଧିକ ୱିକେଟ୍ ହାସଲକାରୀ ବୋଲର । ତାଙ୍କ ଆଗରେ କିମ୍ବଦନ୍ତୀ ଅନିଲ କୁମ୍ବଲେ ୬୧୯ ୱିକେଟ୍ ଅକ୍ତିକାର କରିଛନ୍ତି ।
ଅଶ୍ୱିନ କହିଛନ୍ତି, ମୁଁ ନିଜ ପାଇଁ କୌଣସି ଲକ୍ଷ୍ୟ ନିର୍ଦ୍ଧାରିତ କରି ନାହିଁ । ଅନିଲ ଭାଇ ଚାହାନ୍ତି ମୁଁ ତାଙ୍କ ରେକର୍ଡ ଭାଙ୍ଗେ, ମାତ୍ର ମୁଁ ପ୍ରତିଦିନ ଜୀବନ୍ତ ରହି ଖୁସିରେ ଅଛି । ମୁଁ ଲକ୍ଷ୍ୟ ସ୍ଥିର କରି ଖେଳ ପ୍ରତି ନିଜର ଭଲ ପାଇବା ହରାଇବାକୁ ଚାହୁଁ ନାହିଁ ।