ଖବର ଓଡିଶା : 12/03/2023:
ବିରାଟଙ୍କ ବ୍ୟାଟିଂର ଦମଦାର ସୋ | ଆଜି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ ସିରିଜ୍ର ଶେଷ ତଥା ଚତୁର୍ଥ ମ୍ୟାଚ୍ ଖେଳା ଯାଉଥିବା ବେଳେ ଚତୁର୍ଥ ଦିବସରେ ଶତକ ହାସଲ କରିଛନ୍ତି ବିରାଟ କୋହଲି। ସେ ୨୪୧ଟି ବଲ୍ରୁ ୫ଟି ଚୌକା ସହାୟତାରେ ଏହି ଶତକ ହାସଲ କରିଛନ୍ତି। ଟେଷ୍ଟ କ୍ୟାରିୟରରେ ଏହା ହେଉଛି ତାଙ୍କର ୨୮ତମ ଶତକ। ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ସେ ଟେଷ୍ଟରେ ଶତକ ମାରିଛନ୍ତି। ଏହା ସହିତ ଅନ୍ତର୍ଜାତୀୟ କ୍ରିକେଟ୍ରେ ସେ ୭୫ଟି ଶତକ ପୂରଣ କରିଛନ୍ତି। ଏଥିମଧ୍ୟରେ ଦିନିକିଆର ୪୬ଟି ଓ ଟି-ଟ୍ୱେଣ୍ଟିର ଗୋଟିଏ ଶତକ ରହିଛି। ଗତକାଲି ଷ୍ଟମ୍ପ ଅପସାରଣ ସୁଦ୍ଧା ଭାରତ ୩ଟି ୱିକେଟ୍ ହରାଇ ୨୮୯ ରନ୍ କରିଥିଲା। ବିରାଟ କୋହଲି ୫୯ ଓ ରବୀନ୍ଦ୍ର ଜାଡ଼େଜା ୧୬ ରନ୍ କରି ଅପରାଜିତ ରହିଥିଲେ। ଆଜି ପୁଣି ଏହି ଦୁଇ ଜଣ ଦଳୀୟ ଇନିଂସକୁ ଆଗେଇ ନେବାକୁ ପଡ଼ିଆକୁ ଓହ୍ଲାଇଥିଲେ। ତେବେ ଜେଡ଼େଜା ଶୀଘ୍ର ଆଉଟ୍ ହୋଇଯାଇଥିଲେ। ସେ ଆଜି ଆଉ ମାତ୍ର ୧୨ ରନ୍ କରିଥିଲେ। ୮୪ଟି ବଲ୍ରୁ ୨୮ ରନ୍ କରି ସେ ଟଡ୍ ମର୍ଫୀଙ୍କ ବଲ୍ରେ ଉସ୍ମାନ୍ ଖ୍ୱାଜାଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଫଳରେ ଅଷ୍ଟ୍ରେଲିଆ ୪୮୦ ରନ କରି ଅଲଆଉଟ ହୋଇଥିଲା । ସେହିପରି ଭାରତ ତାର ପ୍ରଥମ ଇଂନିସରେ ୫୭୧ରେ ସୀମିତ ରହିଛି ୯୧ ରନରେ ଆଗୁଆ ରହିଛି । ଭାରତ ପକ୍ଷରୁ ଶୁଭମନ ଗିଲ ୧୨୮, ବିରାଟ କୋହଲି ୧୮୬ ଓ ଅକ୍ଷର ପଟେଲ ୭୯ ରନ କରିଛନ୍ତି ।
ସୂଚନା ମୁତାବକ ବିରାଟ କୋହଲି ୧୦୮ଟି ଟେଷ୍ଟ ମ୍ୟାଚ୍ରୁ ୨୮ଟି ଶତକ କରିଥିବା ବେଳେ ୭ ଥର ଦ୍ୱିଶତକ ଓ ୨୮ ଥର ଅର୍ଦ୍ଧଶତକ ହାସଲ କରିଛନ୍ତି। ସେହିପରି ଦିନିକିଆରେ ସେ ୨୭୧ଟି ମ୍ୟାଚ୍ ଖେଳିଥିବା ବେଳେ ୪୬ଟି ଶତକ ମାରିଛନ୍ତି। ଦିନିକିଆରେ ସେ ୬୪ଟି ଅର୍ଦ୍ଧଶତକ ହାସଲ କରିଛନ୍ତି। ସେ ୧୧୫ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଥିବା ବେଳେ ଗୋଟିଏ ଶତକ ହାସଲ କରିଛନ୍ତି। ଦିନିକିଆ ଓ ଟି-ଟ୍ୱେଣ୍ଟିରେ ନିକଟରେ ଶତକ ହାସଲ କରିଥିଲେ ମଧ୍ୟ ୩ ବର୍ଷ ହେବ ଟେଷ୍ଟରେ ସେ ଫର୍ମରେ ନଥିଲେ । ବିରାଟ ତାଙ୍କର ଏହି ଶତକ ହାସଲର ଶ୍ରେୟ ପତ୍ନୀ ଅନୁଷ୍କା କୁ ଦେଇଛନ୍ତି |