ନୂଆଦିଲ୍ଲୀ: ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟଙ୍କ ଆବେଦନକୁ ସିଏଏସ୍ ଖାରଜ କରିଦେଇଛନ୍ତି। ଅର୍ଥାତ୍ ତାଙ୍କୁ ଆଉ ରୌପ୍ୟ ପଦକ ମିଳିବ ନାହିଁ। ଫାଇନାଲ୍ ମୁକାବିଲା ଦିନ ନିର୍ଦ୍ଧାରିତ ମାନକ ଠାରୁ ୧୦୦ ଗ୍ରାମ୍ ଅଧିକ ଓଜନ କରିଥିବାରୁ ଭିନେଶ ଫୋଗାଟ୍ ପ୍ୟାରିସ୍ ଅଲିମ୍ପିକ୍ସରୁ ଅଯୋଗ୍ୟ ବିବେଚିତ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ସେ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ, ଯାହାର ନିଷ୍ପତ୍ତି ଅଗଷ୍ଟ ୧୬ରେ ଘୋଷଣା ହେବାର ଥିଲା, କିନ୍ତୁ ସିଏଏସ୍ ଏହା ପୂର୍ବରୁ ତାଙ୍କ ଆବେଦନକୁ ଖାରଜ କରିସାରିଛି।
ଭାରତୀୟ ଅଲିମ୍ପିକ୍ ସଂଘର ସଭାପତି ପିଟି ଉଷା ମଧ୍ୟ ଏହି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। ଅଗଷ୍ଟ ୭ରେ ଭିନେଶ ରୌପ୍ୟ ପଦକ ପାଇଁ ଆବେଦନ କରିଥିଲେ ଏବଂ ସିଏଏସ ଏହି ଦାବିକୁ ଗ୍ରହଣ କରିଥିଲା। ଅଗଷ୍ଟ ୯ତାରିଖରେ ଏହି ମାମଲାର ଶୁଣାଣି ହୋଇଥିଲା, ଯେଉଁଥିରେ ଭିନେଶଙ୍କ ସମେତ ଭାରତର ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଓ ବିଦୁଷ୍ପତ ସିଂହାନିଆଙ୍କ ସମେତ ୪ ଜଣ ଓକିଲ ଉପସ୍ଥିତ ଥିଲେ।
ୟୁନାଇଟେଡ୍ ୱାର୍ଲ୍ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ) ପୂର୍ବରୁ ସ୍ପଷ୍ଟ କରିସାରିଛି ଯେ ଭିନେଶ ଫୋଗାଟ କିମ୍ବା କୌଣସି ଆଥଲେଟଙ୍କ ପାଇଁ ନିୟମକୁ ଅଣଦେଖା କରିବା ସପକ୍ଷରେ ନୁହେଁ। ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି ସଭାପତି ଥୋମାସ ବାକ୍ ମଧ୍ୟ ଏ ନେଇ ସମାନ ବୟାନ ଜାରି କରିଛନ୍ତି।
ଫାଇନାଲ ମ୍ୟାଚ୍ ପୂର୍ବରୁ ଅଯୋଗ୍ୟ ଘୋଷଣା ହେବା ପରେ ଅଗଷ୍ଟ ୮ତାରିଖରେ ଭିନେଶ ଫୋଗାଟ୍ କୁସ୍ତିରୁ ଅବସର ଘୋଷଣା କରିଥିଲେ। ସାମାଜିକ ଗଣମାଧ୍ୟମ 'ଏକ୍ସ'କୁ ନେଇ ନିରାଶା ପ୍ରକାଶ କରି ସେ ଲେଖିଥିଲେ, 'ମା, କୁସ୍ତି ମୋ ଠାରୁ ଜିତିଗଲା, ମୁଁ ହାରିଗଲି। ମୁଁ ଦୁଃଖିତ, ଆଜି ତୁମର ସ୍ୱପ୍ନ ଏବଂ ମୋର ସାହସ ଭାଙ୍ଗିଯାଇଛି। ଏବେ ମୋ ଭିତରେ ଅଧିକ ସାହସ ନାହିଁ। କୁସ୍ତିକୁ ମୋର ସଲାମ, ମୋ କ୍ୟାରିୟର କେବଳ ୨୦୦୧-୨୦୨୪ ପର୍ଯ୍ୟନ୍ତ ଥିଲା। ସମଗ୍ର ଭାରତ ଆଶା କରିଥିଲା ଯେ ଭିନେଶ ରୌପ୍ୟ ପଦକ ପାଇବେ, କିନ୍ତୁ ଏହି ଆବେଦନ ପ୍ରତ୍ୟାଖ୍ୟାନ ଦେଶର ଆଶାକୁ ଏକ ବଡ଼ ଝଟକା ଦେଇଛି।