ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ମଧ୍ୟରେ ଏକ ମାତ୍ର ଟେଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୯ ତାରିଖରୁ ନୋଏଡାରେ ଖେଳାଯିବ । ଏହି ମ୍ୟାଚ୍ ପାଇଁ କିୱି ଦଳ ଭାରତ ପହଞ୍ଚି ସାରିଛି । ଭାରତ ପହଞ୍ଚିବ । ମାତ୍ରେ ନ୍ୟୁଜିଲାଣ୍ଡ ଦଳ ବଡ ଚାଲ ଚଳାଇଛି । ଦଳ ଏକ ମାତ୍ର ଟେଷ୍ଟ ମ୍ୟାଚ୍ ପାଇଁ ନିଜ କୋଚିଂ ଦଳରେ ଭାରତର ପୂର୍ବତନ ବ୍ୟାଟିଂ କୋଚ୍ ବିକ୍ରମ ରାଠୋରଙ୍କୁ ସାମିଲ କରିଛି । ରାଠୋରଙ୍କ ନିକଟରେ ଭାରତୀୟ କ୍ରିକେଟ୍ ଦଳର ବ୍ୟାଟିଂ କୋଚ୍ ଭାବେ କାର୍ଯ୍ୟକାଳ ସମାପ୍ତ ହୋଇଛି । ପୁଣି ନ୍ୟୁଜିଲାଣ୍ଡକୁ ଅକ୍ଟୋବର ମାସରେ ଭାରତ ବିପକ୍ଷରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବାର ଅଛି । ଏହାକୁ ଦୃଷ୍ଟିରେ ରଖି ଦଳ ବିକ୍ରମ ରାଠୋରଙ୍କୁ ନିଜ କୋଚିଂ ଦଳରେ ସାମିଲ କରାଇଥିବା କୁହାଯାଉଛି ।
ନ୍ୟୁଜିଲାଣ୍ଡ ବିକ୍ରମ ରାଠୋରଙ୍କ ବ୍ୟତୀତ ଶ୍ରୀଲଙ୍କାର ବରିଷ୍ଠ ସ୍ପିନର ରଙ୍ଗନା ହେରାଥଙ୍କୁ ଏହି ଟେଷ୍ଟ ପାଇଁ ସ୍ପିନ ବୋଲିଂ କୋଚ୍ ଭାବେ ନିଯୁକ୍ତ କରିଛି । ସେ ଭାରତୀୟ ପରିବେଶରେ ଏଜାଜ ପଟେଲ, ମିଚେଲ ସାଣ୍ଟନର ଓ ରଚିନ ରବୀନ୍ଦ୍ରଙ୍କ ପରି ସ୍ପିନରଙ୍କୁ ସାହାଯ୍ୟ କରିବେ ।
ନ୍ୟୁଜିଲାଣ୍ଡ କ୍ରିକେଟ୍ ନିଜର ପ୍ରେସ୍ ବିଜ୍ଞପ୍ତିରେ ଲେଖିଛି ଯେ, ଶ୍ରୀଲଙ୍କାର ସ୍ପିନର ରଙ୍ଗନା ହେରାଥଙ୍କୁ ଏସିଆରେ ମାଟିରେ ଖେଳା ଯିବାକୁ ଥିବା ତିନୋଟି ଟେଷ୍ଟ ମ୍ୟାଚ୍ ପାଇଁ ସ୍ପିନ ବୋଲିଂ କୋଚ୍ ଭାବେ ନିଯୁକ୍ତ କରିଛି । ସେ ପାକିସ୍ତାନର ପୂର୍ବତନ ସ୍ପିନର ତଥା କୋଚ୍ ସାକଲେନ ମୁସ୍ତାକଙ୍କ ସ୍ଥାନ ନେବେ । ହେରାଥ ଏ ପର୍ଯ୍ୟନ୍ତ ସବୁଠୁ ସଫଳ ବାମହାତୀ ସ୍ପିନର ।
ନ୍ୟୁଜିଲାଣ୍ଡକୁ ଆଫଗାନିସ୍ତାନ ବିପକ୍ଷ ଏକ ମାତ୍ର ଟେଷ୍ଟ ମ୍ୟାଚ୍ ପରେ ଶ୍ରୀଲଙ୍କା ଗସ୍ତ କରିବାର ଅଛି । ସେଠାରେ ସେପ୍ଟେମ୍ବର ୧୮ରୁ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ । ଏହି ସିରିଜ୍ ଡବ୍ଲ୍ୟୁଟିସି ଅନ୍ତର୍ଗତରେ ଖେଳାଯିବ । ଏହା ପରେ କିୱି ଦଳ ଭାରତ ଗସ୍ତ କରିବ ।