ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତ ପାଇଁ ଶୁକ୍ରବାର ବିସିସିଆଇ ଭାରତୀୟ ଦଳ ଘୋଷଣା କରିଛି। ବର୍ଡର-ଗାଭାସ୍କର ଟ୍ରଫି ପାଇଁ ରୋହିତ ଶର୍ମାଙ୍କ ନେତୃତ୍ଵରେ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଛି । ତାରକା ଦ୍ରୁତ ବୋଲର ଯଶପ୍ରୀତ ବୁମରାଙ୍କୁ ଉପଅଧିନାୟକ କରାଯାଇଛି। କେଏଲ ରାହୁଲଙ୍କୁ ପୁଣି ଥରେ ଆଉ ସୁଯୋଗ ଦେଇ ଦଳରେ ସାମିଲ କରିଛନ୍ତି ଚୟନକର୍ତ୍ତା । ତେବେ ସଂପୂର୍ଣ୍ଣ ଭାବେ ଆହତ ସମସ୍ୟାରୁ ମୁକୁଳି ପାରି ନ ଥିବା ମହମ୍ମଦ ଶାମି ଅଷ୍ଟ୍ରେଲିଅ ଗସ୍ତରୁ ବାଦ୍ ପଡ଼ିଛନ୍ତି।
ଅଭିମନ୍ୟୁ ଈଶ୍ଵରନ ଓ ପ୍ରସିଦ୍ଧ କୃଷ୍ଣାଙ୍କୁ ଭାରତୀୟ ଦଳରେ ସୁଯୋଗ ମିଳିଛି। ଓ୍ଵାଶିଂଟନ ସୁନ୍ଦରଙ୍କୁ ତାଙ୍କର ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟର ପ୍ରଦର୍ଶନର ପୁରସ୍କାର ମିଳିଛି । ନୀତିଶ ରେଡ୍ଡୀଙ୍କୁ ନୂଆ ଚେହେରା ଭାବେ ଦଳରେ ସାମିଲ କରାଯାଇଛି । ଯଶସ୍ଵୀ ଜୟସ୍ଵାଲ, ଶୁଭମନ ଗିଲ୍ ଓ ବିରାଟ କୋହଲିଙ୍କ ସହ ଋଷଭ ପନ୍ତ ଓ ଧ୍ରୁବ ଜୁରେଲ ଓ୍ଵିକେଟ୍ କିପର ଭାବେ ନିଜର ସ୍ଥାନ ବଜାୟ ରଖିଛନ୍ତି। ସରଫରାଜ ଖାନ ନିଜ ପ୍ରଦର୍ଶନ ବଳରେ ଟେଷ୍ଟ ଟିମରେ ନିଜର ସ୍ଥାନ ସୁରକ୍ଷିତ ରଖି ପାରିଛନ୍ତି। ଉଲ୍ଲେଖନୀୟ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ୍ ଖେଳିବ।
ଅଷ୍ଟ୍ରେଲିଆର ଦ୍ରୁତ ପିଚକୁ ଦୃଷ୍ଟିରେ ରଖି ୪ ଦ୍ରୁତ ବୋଲରଙ୍କୁ ଦଳରେ ସାମିଲ କରାଯାଇଛି। ଯଶପ୍ରୀତ ବୁମରାଙ୍କ ସହିତ ମହମ୍ମଦ ସିରାଜ, ଆକାଶ ଦୀପ ଓ ପ୍ରସିଦ୍ଧ କୃଷ୍ଣାଙ୍କୁ ଦଳରେ ଚୟନ କରାଯାଇଛି। ଦୀର୍ଘ ସମୟ ପରେ ପ୍ରସିଦ୍ଧ କୃଷ୍ଣାଙ୍କ ଟେଷ୍ଟ ଦଳରେ ପ୍ରତ୍ୟାବର୍ତ୍ତନ ଘଟିଛି। ତିନି ସ୍ପିନ ଅଲରାଉଣ୍ଡର ଭାବେ ରବିଚନ୍ଦ୍ରନ ଅଶ୍ଵିନ, ରବୀନ୍ଦ୍ର ଜାଡ଼େଜା ଓ ଓ୍ଵାଶିଂଟନ ସୁନ୍ଦରଙ୍କୁ ଆଶା ଦଳରେ ସାମିଲ କରାଯାଇଛି।
ବର୍ଡର ଗାଭାସ୍କର ଟ୍ରଫି ପାଇଁ ଭାରତୀୟ ଦଳ
ରୋହିତ ଶର୍ମା(ଅଧିନାୟକ), ଯଶପ୍ରୀତ ବୁମରା(ଉପ ଅଧିନାୟକ), ଯଶସ୍ଵୀ ଜୟସ୍ଵାଲ, ଅଭିମନ୍ୟୁ ଈଶ୍ଵରନ, ଶୁଭମନ ଗିଲ୍, ବିରାଟ କୋହଲି, କେଏଲ ରାହୁଲ, ଋଷଭ ପନ୍ତ(ଓ୍ଵିକେଟ୍ କିପର), ସରଫରାଜ ଖାନ, ଧ୍ରୁବ ଜୁରେଲ(ଓ୍ଵିକେଟ୍ କିପର), ରବିଚନ୍ଦ୍ରନ ଅଶ୍ଵିନ, ରବୀନ୍ଦ୍ର ଜାଡ଼େଜା, ମହମ୍ମଦ ସିରାଜ, ଆକାଶ ଦୀପ, ପ୍ରସିଦ୍ଧ କୃଷ୍ଣା, ହର୍ଷିତ ରାଣା, ନୀତିଶ କୁମାର ରେଡ୍ଡୀ, ଓ୍ଵାଶିଂଟନ ସୁନ୍ଦର।
ରିଜର୍ଭ ଖେଳାଳି- ମୁକେଶ କୁମାର, ନବଦୀପ ସାଇନ, ଖଲିଲ ଅହମ୍ମଦ