କଲୋମ୍ବୋ: ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ୱକପ୍ ୨୦୨୬ । ଉଦଘାଟନୀ ଦିନରେ ୩ଟି ମ୍ୟାଚ୍ ଖେଳାଯିବ । ତେବେ ପାକିସ୍ତାନ ଫେବୃଆରୀ ୧୫ରେ ଭାରତ ବିପକ୍ଷ ମ୍ୟାଚ୍ ନ ଖେଳିବାକୁ ନିଷ୍ପତ୍ତି ନେଇଛି । ଯାହା ଆଇସିସି ସହ ବ୍ରଡକାଷ୍ଟର୍ସଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଶ୍ରୀଲଙ୍କା କ୍ରିକେଟ୍ ପାକିସ୍ତାନ କ୍ରିକେଟ୍ ବୋର୍ଡକୁ ଭାରତ ବିପକ୍ଷ ମ୍ୟାଚ୍ ବହିଷ୍କାର କରିବା ନିଷ୍ପତ୍ତି ଉପରେ ପୁନର୍ବିଚାର କରିବାକୁ ଅପିଲ୍ କରିଛି ।
ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ର ସହଆୟୋଜକ ଶ୍ରୀଲଙ୍କା ପିସିବିକୁ ଲେଖିଥିବା ପତ୍ରରେ କହିଛି ଯେ, କଲୋମ୍ବୋରେ ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚ୍ ନ ହେଲେ ଆମେ ବିପୁଳ କ୍ଷତିରେ ପଡିବୁ । କାରଣ ଏହି ବ୍ଲକବଷ୍ଟର ମ୍ୟାଚ୍ ପାଇଁ ସମସ୍ତ ପ୍ରସ୍ତୁତି ହୋଇ ସାରିଥିଲା । ମାତ୍ର ପାକିସ୍ତାନର ନିଷ୍ପତ୍ତି ପରେ ବଡ ମାତ୍ରାରେ ହୋଟେଲ୍ ବୁକିଂ କ୍ୟାନସଲ୍ ହେବାରେ ଲାଗିଛି । ଏଥିରେ କଲୋମ୍ବୋର ପର୍ଯ୍ୟଟନ ଉପରେ ଗୁରୁତର ପ୍ରଭାବ ପକାଇଛି । ରିପୋର୍ଟ ମୁତାବକ ଶ୍ରୀଲଙ୍କା କ୍ରିକେଟ୍ର ଅଧ୍ୟକ୍ଷ ଶାମି କହିଛନ୍ତି, ଏହି ହାଇଭୋଲଟେଜ ମ୍ୟାଚ୍ ରଦ୍ଦ ହେବାରୁ ଟୁର୍ଣ୍ଣାମେଣ୍ଟର ବ୍ୟବସାୟିକ ଓ କ୍ରୀଡା ସଂପର୍କିତ ସମୀକରଣ ଉପରେ ନକରାତ୍ମକ ପ୍ରଭାବ ପଡିପାରେ ।
ଏ୍ରୀଲଙ୍କା କ୍ରିକେଟ୍ ବୋର୍ଡ ମନେ ପକାଇ ଦେଇଛି ଯେ, ମୁସ୍କିଲ ସମୟରେ ସେ ସର୍ବଦା ପାକିସ୍ତାନର ସମର୍ଥନ କରି ଆସିଛି । ଆଉ ଏବେ ସଂପ୍ରତି ସ୍ଥିତିକୁ ଦେଖି ପାକିସ୍ତାନ କ୍ରିକେଟ୍ ବୋର୍ଡ ନିଜର ନିଷ୍ପତ୍ତି ଉପରେ ପୁନର୍ବିଚାର କରିବା ଉଚିତ୍ । ଶ୍ରୀଲଲଙ୍କା କ୍ରିକେଟ୍ ବୋର୍ଡ ମନେ ପକାଇ କହିଛି ଯେ, ତାଙ୍କ ଦଳ କଠିନ ଓ ସମ୍ବେଦନଶୀଳ ସ୍ଥିତିରେ ଅନେକ ଥର ପାକିସ୍ତାନ ଗସ୍ତ କରିଛି । ସେହି ସମୟରେ ଅନ୍ୟ କ୍ରିକେଟ୍ ଦଳ ପାକିସ୍ତାନ ଗସ୍ତ କରୁ ନ ଥିଲେ । ଏହି ନିଷ୍ପତ୍ତି କ୍ରିଡା ଭାବନା ଏବଂ ଦୁଇ ବୋର୍ଡର ପରସ୍ପରର ସମ୍ମାନ ଆଧାରରେ ନିଆଯାଇଥିଲା । ତେଣୁ ପାକିସ୍ତାନ ବର୍ତ୍ତମାନ ଆମକୁ ସମର୍ଥନ କରିବା ଉଚିତ୍ ବୋଲି ଶ୍ରୀଲଙ୍କା କ୍ରିକେଟ୍ କହିଛି ।
ସୂଚନାଯୋଗ୍ୟ, ଭାରତରେ ମ୍ୟାଚ୍ ନ ଖେଳିବାକୁ ନିଷ୍ପତ୍ତି ନେବାରୁ ଆଇସିସି ବାଂଲାଦେଶକୁ ବିଶ୍ୱକପରୁ ବାହାର କରି ସ୍କଟଲାଣ୍ଡକୁ ସାମିଲ୍ କରିଛି । ଆଇସିସିର ଏହି ନିଷ୍ପତ୍ତିକୁ ବିରୋଧ କରି ପାକିସ୍ତାନ ଭାରତ ବିପକ୍ଷ ଫେବୃଆରୀ ୧୫ରେ ବିଶ୍ୱକପ୍ ମ୍ୟାଚ୍ ନ ଖେଳିବାକୁ ନିଷ୍ପତ୍ତି ନେଇଛି ।
Also read: U19 World Cup: ଇଂଲଣ୍ଡକୁ ହରାଇ ଷଷ୍ଠ ଥର ବିଶ୍ୱକପ୍ ଜିତିଲା ଭାରତ, ହିରୋ ସାଜିଲେ ବୈଭବ ସୂର୍ଯ୍ୟବଂଶୀ