କଲୋମ୍ବୋ: ଟି-୨୦ ବିଶ୍ୱକପ୍ ୨୦୨୬ରୁ ବିଦା ହୋଇଛି ସହ ଆୟୋଜକ ଶ୍ରୀଲଙ୍କା । ସୁପର-୮ର ଏକ କର ବା ମର ମ୍ୟାଚରେ ଘରୋଇ ଶ୍ରୀଲଙ୍କା ନ୍ୟୁଜିଲାଣ୍ଡଠୁ ୬୧ ରନରେ ପରାଜିତ ହୋଇଛି । ଏହି ବିଜୟ ସହ ନ୍ୟୁଜିଲାଣ୍ଡ ସେମି ଫାଇନାଲ ଦୌଡରେ ନିଜର ସ୍ଥିତି ମଜବୁତ କରି ପାରିଛି । ଅନ୍ୟପଟେ ଶ୍ରୀଲଙ୍କା ବିଶ୍ୱକପରୁ ବାଦ୍ ପଡିବା ସହ ପାକିସ୍ତାନର ସେମି ଫାଇନାଲ୍ ଆଶାକୁ ବଡ ଝଟକା ଦେଇଛି । ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ଦ୍ୱାରା ଧାର୍ଯ୍ୟ ୧୬୯ ରନର ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ୮ ୱିକେଟ୍ ହରାଇ ୧୦୭ ରନ କରି ପାରିଥିଲା । ନ୍ୟୁଜିଲାଣ୍ଡ ବିଜୟରେ କର୍ଣ୍ଣଧାର ସାଜିଛନ୍ତି ରଚିନ ରବୀନ୍ଦ୍ରନ ଓ ଅଧିନାୟକ ମିଚେଲ୍ ସାଣ୍ଟନର ।
ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୭ ୱିକେଟ୍ ହରାଇ ୧୬୮ ରନ କରିଥିଲା । ଏକଦା ଦଳ ୮୪ ରନରେ ୬ ୱିକେଟ୍ ହରାଇ ମୁସ୍କିଲ ସ୍ଥିତିରେ ପଡିଥିଲା । କିନ୍ତୁ ଅଧିନାୟକ ମିଚେଲ୍ ସାଣ୍ଟନର ଓ କୋଲି ମ୍ୟାକୋଞ୍ଚି ୮୪ ରନ ଯୋଡି ନ୍ୟୁଜିଲାଣ୍ଡର ସ୍ଥିତି କେବଳ ସୁଧାରି ନ ଥିଲେ ବରଂ ମ୍ୟାଚରେ ଦଳକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ । ସାଣ୍ଟନର ୨୬ ବଲରୁ ୨ ଚୌକା ୪ ଛକା ସହ ୪୭ ରନ କରିଥିଲେ । ମ୍ୟାକୋଞ୍ଚି ୨୩ ବଲରୁ ୩୧ ରନ କରି ଅପରାଜିତ ଥିଲେ । ଏହା ପୂର୍ବରୁ ଫିନ ଆଲେନ ୨୩ ରନ, ରଚିନ ରବୀନ୍ଦ୍ରନ ୩୨ ରନ ଓ ଗ୍ଲେନ ଫିଲିପ୍ସ ୧୮ ରନ କରିଥିଲେ ।
ଜବାବରେ ଶ୍ରୀଲଙ୍କା ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା । ଦଳ ଇନିଂସର ପ୍ରଥମ ବଲରେ ହିଁ ୱିକେଟ ହରାଇଥିଲା । ଘରୋଇ ମାଟିରେ ଦଳ ଖେଳୁଥିଲେ ମଧ୍ୟ ୪୬ ରନରେ ଅଧା ୱିକେଟ୍ ହରାଇ ସାରିଥିଲା । ରଚିନ ରବୀନ୍ଦ୍ରନ ୪ ୱିକେଟ୍ ନେଇ ଶ୍ରୀଲଙ୍କାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗିଥିଲେ । କୌଣସି ବ୍ୟାଟର ନ୍ୟୁଜିଲାଣ୍ଡ ବୋଲରଙ୍କ ମୁକାବିଲା କରି ପାରି ନ ଥିଲେ । କାମିନ୍ଦୁ ମେଣ୍ଡିସ ୩୧ ରନ କରିବାକୁ ସମର୍ଥ ହୋଇଥିବା ବେଳେ ଅନ୍ୟ କୌଣସି ବ୍ୟାଟର କ୍ରିଜରେ ଜମି ପାରି ନ ଥିଲେ । ଫଳରେ ଦଳ ୮ ୱିକେଟ ହରାଇ ୧୦୭ ରନ କରି ପାରିଥିଲା ।